ଆଜି ବି ତାପମାତ୍ରା ୪୪ ପାର୍ । ୪୪.୩ ଡିଗ୍ରୀ ସହ ଅନୁଗୁଳ ପାଲଟିଲା ରାଜ୍ୟର ଉତପ୍ତ ସହର, ୧୨ ସହରରେ ୪୩ ଟପିଲା ପାରଦ

69

କନକ ବ୍ୟୁରୋ : ରାତି ପାହିଲେ ଟାଇଁ ଟାଇଁ ଖରା । ଦିନ ବଢିବା ସହ ଉପରମୁହାଁ ହେଉଛି ପାରଦ । ୧୫ ଦିନ ହେଲା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଫଳରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅଂଶୁଘାତ ଭୟରେ ଅନେକ ଘରୁ ବାହାରୁ ନାହାନ୍ତି । ଯେଉଁମାନେ ବାଧ୍ୟ ହୋଇ ଘରୁ ବାହାରୁଛନ୍ତି, ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇଯାଉଛି ।

ପରିବାର ପୋଷିବା ପାଇଁ କିଛି ବର୍ଷ ତଳେ ଶୁଭେନ୍ଦୁ ଦାସ କଲିକତାରୁ ଭୁବନେଶ୍ୱର ଆସିଥିଲେ । କବାଡ଼ିବାଲା ହୋଇଥିବାରୁ ଟ୍ରଲି ଧରି ଦିନ ସାରା ବୁଲନ୍ତି । ପ୍ରଚଣ୍ଡ ଖରା ଏବେ ତାଙ୍କ ପାଇଁ କାଳ ପାଲଟିଛି ।

ଅଟୋ ଚାଳକ ରାଜୀବ ମୁଦୁଲିଙ୍କର ମଧ୍ୟ ଏକା ଅବସ୍ଥା । ଘର ଚଳାଇବା ପାଇଁ ଟାଣ ଖରାରେ ସିନା ବାହାରି ଆସୁଛନ୍ତି, କିନ୍ତୁ ଆକାଶରୁ ଯେମିତି ନିଆଁ ବର୍ଷା ହେଉଛି, ତାକୁ ସହିବା ସମ୍ଭବ ହେଉନି ।

ମେ’ ୧ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏ ନେଇ ବିଭିନ୍ନ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୨୯ ଓ ୩୦ ତାରିଖ ପାଇଁ କଟକ, ଭୁବନେଶ୍ୱର ସମେତ ଅଧା ଓଡ଼ିଶାକୁ ରେଡ୍ ଆଲର୍ଟ କରାଯାଇଛି । ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ତେବେ ଏହା ପରେ ସାମୁଦ୍ରିକ ବାୟୁ ପ୍ରଭାବରେ ତାପାମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ବେଳେ ଶୁଷ୍କ ଓ ଗରମ ବାୟୁ ପ୍ରଭାବରେ ଆସନ୍ତା ଦୁଇ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି ।