ସାଲେପୁର କଂଗ୍ରେସ ନ୍ୟାୟ ସମାବେଶରେ ରାହୁଲଙ୍କ ଗ୍ୟାରେଂଟି । କହିଲେ କଂଗ୍ରେସ କ୍ଷମତାକୁ ଆସିଲେ, ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ଲକ୍ଷେ ଟଙ୍କା

80

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ଭାଷଣ ଆଜି କଂଗ୍ରେସ ଶିବିରରେ ଆଜି ଭରି ଦେଇଛି ଉତ୍ସାହ । ସାଲେପୁର କୁଳିଆରେ ଆୟୋଜିତ ନ୍ୟାୟ ସମାବେଶରେ ଯୋଗ ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ରର ଶାସକ ଦଳ ବିରୋଧରେ ବର୍ଷିଛନ୍ତି ଦଳର ପୂର୍ବତନ ଅଧ୍ୟକ୍ଷ । କଂଗ୍ରେସ ଦ୍ୱାରା ବିଜେଡି ଓ ବିଜେପି ମଧ୍ୟରେ କରା ଯାଇଥିବା ପ୍ରତିକାତ୍ମକ ବିବାହ କଥା ଦୋହରାଇ କଡ଼ା ସମାଲୋଚନା କରିଛନ୍ତି । ନିର୍ଦ୍ଦିଷ୍ଟ ଶିଳ୍ପପତିଙ୍କୁ ଫାଇଦା ଦେଇଥିବା ବେଳେ ସାଧାରଣ ଲୋକଙ୍କୁ ପାନ ଧରାଇ ଦେଇଛନ୍ତି ବୋଲି କଟାକ୍ଷ କରିଛନ୍ତି ରାହୁଲ ।

କଂଗ୍ରେସ ଗ୍ୟାରେଂଟି ସଂପର୍କରେ କହିବା ସହ ମାଳ ମାଳ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ । କ୍ଷମତାକୁ ଆସିଲେ କଂଗ୍ରେସ କି କି ସୁବିଧା ସୁଯୋଗ ଯୋଗାଇ ଦେବ ସଭାମଂଚରୁ କହିଛନ୍ତି ।
ଯୁବକ/ଯୁବତୀଙ୍କୁ ଚାକିରି ଗ୍ୟାରେଂଟି
ମହିଳା ଓ ବେରୋଜଗାରୀ ଭତ୍ତା
ଗରିବ ପରିବାରର ମହିଳାଙ୍କୁ ଚିହ୍ନଟ କରି ବ୍ୟାଙ୍କ ଖାତାକୁ ବାର୍ଷିକ ୧ ଲକ୍ଷ ଟ୍ରାନ୍ସଫର
୨୦୦ ୟୁନିଟ୍ ମାଗଣା ବିଜୁଳି, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର
କୃଷି ଋଣ ଛାଡ଼, ଏମ୍ଏସ୍ପି ବୃଦ୍ଧି
ଆଦି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ ।

କଂଗ୍ରେସର ନ୍ୟାୟ ସମାବେଶରେ ରାହୁଲ ଗାନ୍ଧୀଙ୍କ ଦମଦାର ଭାଷଣରେ ଉତ୍ସାହିତ ହୋଇ ପଡିଛନ୍ତି ରାଜ୍ୟ କଂଗ୍ରେସ ନେତା । ଏପଟେ ରାହୁଲଙ୍କ ଗସ୍ତ ଓଡ଼ିଶାରେ କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ବିଜେଡି ଓ ବିଜେପି ।

ସାଲେପୁର ଗସ୍ତ ଅବସରରେ ସତ୍ୟଭାମାପୁରରେ ଥିବା ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପ୍ରଦାନ କରିଥିଲେ ରାହୁଲ । ରାହୁଲଙ୍କ ଏହି ଗସ୍ତ କେନ୍ଦ୍ରପଡ଼ା ଲୋକସଭା କ୍ଷେତ୍ର ଓ ଏହା ଅଧୀନରେ ଥିବା ୭ ବିଧାନସଭା କ୍ଷେତ୍ରରେ ପ୍ରଭାବ ପକାଇବ ବୋଲି ଆଶା ରଖିଛି କଂଗ୍ରେସ ।