ରାଜ୍ୟ ସରକାରକୁ ନଡ୍ଡାଙ୍କ ଟାର୍ଗେଟ୍ । କହିଲେ, ବିକାଶ ପାଇଁ ଓଡିଶାରେ ଦରକାର ବିଜେପି ସରକାର ।

163

କନକ ବ୍ୟୁରୋ: ଓଡିଶାରେ ଜେପି ନଡ୍ଡା । ବ୍ରହ୍ମପୁର ଆମ୍ବପୁଆରେ ବିଜୟ ସଙ୍କଳ୍ପ ସମାବେଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭାରତ ମାତା କି ଜୟ ଧ୍ୱନିରୁ ସେ ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଥିଲେ । ଏଥିସହିତ ସେ କହିଥିଲେ, ଆଜି ହେଉଛି ୨୮ ତାରିଖ ମଧୁବାବୁଙ୍କ ଜନ୍ମ ଜୟନ୍ତୀ । ଓଡିଶାକୁ ତିଆରି କରିବାରେ ମଧୁବାବୁଙ୍କର ବଡ ଯୋଗଦାନ ଥିଲା । ଏହାସହ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମଧ୍ୟ ମନେପକାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ନଡ୍ଡା କହିଥିଲେ ଏ ନିର୍ବାଚନୀ ସଭାରେ ସେ ଯେଉଁ ଉର୍ଜା ଏବଂ ଖୁସି ଦେଖୁଛନ୍ତି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି । ତେବେ ଯେଉଁ ବିକାଶ ମୋଦୀ ଦିଲ୍ଲୀରେ କରୁଛନ୍ତି, ତାହାର ସଠିକ୍ ରୂପାନ୍ତରଣ ପାଇଁ ରାଜ୍ୟରେ ମଧ୍ୟ ପଦ୍ମ ଫୁଟିବା ଦରକାର ଏବଂ ବିଜେପି ସରକାର ହେବା ଦରକାର । ୧୦ ବର୍ଷ ପୂର୍ବରୁ ରାଜନୀତି ଭିନ୍ନ ଥିଲା, ହେଲେ ଏବେ କିନ୍ତୁ ଭାରତ ବଦଳିଛି, ଏବେ ବଦଳୁଥିବା ଭାରତର ସମୟ ଚାଲିଛି । ଏ ନିର୍ବାଚନ କେବଳ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନୁହେଁ, ବରଂ ମୋଦୀଙ୍କ ନେତୃତ୍ୱରେ ଓଡିଶାକୁ ଆଗକୁ ବଢାଇବା ପାଇଁ ନିର୍ବାଚନ ବୋଲି ନଡ୍ଡା କହିଥିଲେ ।

ଏଥିସହ ପୂର୍ବରୁ ଜାତି, ଧର୍ମରେ ରାଜନୀତି ହେଉଥିଲା, ହେଲେ ଏବେ ରାଜନୀତି ରିପୋର୍ଟ କାର୍ଡ ପଲିଟିକ୍ସ । ଏ ପରିଭାଷାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ହିଁ ଲାଗୁ କରିଛି । ଖାଲି ସେତିକି ନୁହେଁ, ସବୁଠି ଅର୍ଥନୀତି କରୋନା କାରଣରୁ ଗଡବଡ ହେଲାବେଳେ, ମୋଦୀଙ୍କ ନେତୃତ୍ୱରେ କିନ୍ତୁ ଭାରତ ଅର୍ଥନୀତି ଚମକୁଛି । ଗତ ୧୦ ବର୍ଷରେ ଆମ ଅର୍ଥନୀତି ୧୧ ନମ୍ବରରେ ଥିଲା, ହେଲେ ମୋଦୀଙ୍କ ନେତୃତ୍ୱରେ ଲମ୍ବା ଲମ୍ଫ ମାରି ଭାରତ ଆଜି ବ୍ରିଟେନକୁ ପାର୍ କରିବା ସହିତ ଆଜି ୫ମ ବୃହତ ଅର୍ଥନୀତିରେ ପହଞ୍ଚିପାରିଛି । ଅନ୍ୟପଟେ ଆଗାମୀ ୨ ବର୍ଷ ଭିତରେ ୩ ବୃହତ ଅର୍ଥନୀତି ହେବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ନଡ୍ଡା । ଏଥିପାଇଁ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବା ସହ ଓଡିଶାରୁ ୨୧ ବିଜେପି ସାଂସଦ ନିବାର୍ଚିତ କରିବାକୁ ସେ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ।

ଆଗାମୀ ୫ ବର୍ଷରେ ଲୋକମାନେ ବିଜୁଳି ବିଲରୁ ମୁକ୍ତ ହେଇଯିବେ । ପିଏମ୍ ସୂର୍ଯ୍ୟ ଘର ମୁକ୍ତ ଯୋଜନାରେ ପ୍ରତି ଘରକୁ ସୌରଶକ୍ତି ମିଳିବ । ଯଦି ଅଧିକ ବିଜୁଳି ହେବ, ତେବେ ଏହାକୁ ମଧ୍ୟ ସରକାର କିଣିନେବ । ଏଥିସହ ନବୀନ ପଟ୍ଟନାୟକ ସରକାରକୁ ଟାର୍ଗେଟ କରି ସେ କହିଥିଲେ, ଗରିବ ଲୋକଙ୍କ ପାଇଁ ମୋଦୀ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ଦେଲେ । ହେଲେ ଓଡିଶାର ଲୋକ କିନ୍ତୁ ଏଥିରୁ ବଞ୍ଚିତ ହେଲେ । ଏଠାକାର ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରିବାକୁ ଦେଇନାହାଁନ୍ତି ବୋଲି ନଡ୍ଡା କହିଛନ୍ତି । ଖାଲି ସେତିକି ନୁହେଁ, କିନ୍ନର ସମାଜର ଲୋକଙ୍କୁ ମଧ୍ୟ ମୋଦୀଜୀ ଆୟୁଷ୍ମାନ ଯୋଜନାରେ ସାମିଲ କରିବାକୁ ଚେଷ୍ଟା କରିଛନ୍ତି ବୋଲି ସେ କହିଛନ୍ତି ।

ଓଡିଶାକୁ ମୋଦୀ ସବୁବେଳେ ଭଲ ଦୃଷ୍ଟିରେ ଦେଖିଛନ୍ତି । ଓଡିଶାକୁ ସବୁବେଳେ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ନଡ୍ଡା କହିଥିଲେ । ବର୍ତ୍ତମାନ ଏୟାରପୋର୍ଟ ଆଉ ରେଲୱେ ଷ୍ଟେସନ ଭିତରେ କିଛି ଫରକ୍ ନାହିଁ । ଏବେ ଓଡିଶାରେ ୨୫ଟି ଷ୍ଟେସନର ନିର୍ମାଣ ଚାଲିଛି । ଶେଷରେ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବା ସହ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ ଜେପି ନଡ୍ଡା । ବିଜେଡି ସରକାରକୁ ଟାର୍ଗେଟ କରିବା ସହ ଏଠାରେ ବାବୁରାଜ୍, ଦୁର୍ନୀତି ଚାଲିଛି ବୋଲି ନଡ୍ଡା କହିଥିଲେ । ଚିଟଫଣ୍ଡ ଦୁର୍ନୀତି କଥା ଉଠାଇବା ସହ ରାଜ୍ୟ ସରକାରକୁ ଘେରିଥିଲେ ବିଜେପି ଅଧ୍ୟକ୍ଷ । ଏପରି ସରକାରକୁ ହଟେଇବା ସହ ରାଜ୍ୟରେ ବିଜେପିକୁ ଭୋଟ୍ ଦେବାକୁ ନଡ୍ଡା ଆହ୍ୱାନ କହିିଥିଲେ ।