ଦ୍ୱିତୀୟ ପିପିଲି ଭାବେ ପରିଚିତ ବୌଦ୍ଧର ବୁଟୁପାଲି । ଛତ୍ର, ଛତ୍ରୀ ଓ ବାନା ତିଆରି କରି ରୋଜଗାରକ୍ଷମ ହେଉଛନ୍ତି କାରିଗର

85

କନକ ବ୍ୟୁରୋ : ପିପିଲି ଚାନ୍ଦୁଆ ଭଳି ବୌଦ୍ଧ ଜିଲ୍ଲା ବୁଟୁପାଲିରେ ମିଳୁଥିବା ଛତ୍ର, ଛତ୍ରୀ, ବାନାର ରହିଛି ବେଶ ପ୍ରସିଦ୍ଧି । ରାଜା ରାଜୁଡ଼ା ଅମଳରୁ କାରିଗର ମାନେ ଏହି ବ୍ୟବସାୟକୁ ଆପଣାଇଛନ୍ତି । ପିଢ଼ି ପରେ ପିଢ଼ି ଏହି ବୃତିକୁ ଆପଣାଇ ବେଶ କିଛି ରୋଜଗାର କରୁଛନ୍ତି । ଦଣ୍ଡଯାତ୍ରା, ରାମଲିଳା, ଦଶହରା, ଅନ୍ୟ ଦେବାଦେବୀଙ୍କ ପୂଜା ସମୟରେ ଏହି ସବୁ ସାମଗ୍ରୀର ବ୍ୟବହାର କରାଯାଏ । ଏହା ବ୍ୟତିତ ଘରୋଇ ସାଜସଜା ଓ ବିଭିନ୍ନ ଉତ୍ସବରେ ଏହାକୁ ବ୍ୟବହାର କରନ୍ତି ଲୋକେ । ଛତ୍ର କପଡ଼ା ଉପରେ ବିଭିନ୍ନ ପ୍ରକାରର କଳାକୃତି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥାଏ । ଛତ୍ରର ଆକାର ଓ ସ୍ତମ୍ଭ ନିର୍ମାଣ ପାଇଁ ଛତ୍ରର ମଧ୍ୟମ ଭାଗରେ ବାଉଁଶକୁ କାଟି ଯୋଡ଼ାଯାଏ ।

କପଡ଼ାରେ ତିଆରି ଛତ୍ର ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ କିଣିବାକୁ ପଡ଼ିଥାଏ । ଭେଲଭେଟ କପଡ଼ା, ସୁତା, ମିରର ଓ ଚୁମୁକି ବ୍ୟବହାର କରି ଛତ୍ରୀ ତିଆରି କରନ୍ତି କାରିଗର । ଏହି ଛତ୍ର ଓ ଛତ୍ରୀରେ ପୌରାଣିକ କଥାବସ୍ତୁ ଚିତ୍ରିତ କରନ୍ତି କାରିଗର । ସୁତା-ଛୁଂଚିରେ ଶଂଖ, ଚକ୍ର, ଗଦା, ପଦ୍ମ, ମୟୂର, ପାରା, ଗଛ, ହାତୀ, ଚନ୍ଦ୍ର, ସୂର୍ଯ୍ୟ ଓ ଭଗବାନଙ୍କ ଚିତ୍ର ଆଙ୍କିଥାଆନ୍ତି କାରିଗର । ହାତରେ ସିଲେଇ କରିବା ସହ ମେସିନ ସାହାଯ୍ୟରେ ମଧ୍ୟ ସିଲେଇ କରୁଛନ୍ତି । ଏହାର ଦାମ୍ ୫୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ବାନା ଓ ଚାନ୍ଦୁଆର ଦାମ ଡିଜାଇନ୍ ଓ ସାଇଜ ଅନୁସାରେ ରହିଛି ।

ପାରମ୍ପରିକ ଓ କୌଳିକ ବୃତିକୁ ବଂଚାଇ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ଏହି କାରିଗର ମାନେ । ହେଲେ ଆଜିର ଆଧୁନୀକ ଯୁଗରେ ପୂର୍ବ ପରି ଏହି ସବୁ ଜିନିଷର ଆଉ ଚାହିଦା ନାହିଁ । ପର୍ବପର୍ବାଣୀ ଦିନକୁ ଛାଡ଼ିଦେଲେ ଅନ୍ୟଦିନରେ ଏହାକୁ ବିକ୍ରି କରିବା କଷ୍ଟକର ହୋଇପଡ଼ୁଛି । ତେଣୁ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଏହି ସବୁ ଜିନିଷର ପ୍ରଚାର ପ୍ରସାର ହୋଇପାରିଲେ ସାରା ଦେଶରେ ଏହାକୁ ପ୍ରସିଦ୍ଧି ମିଳିପାରନ୍ତା ।