ଦାତି ମହାରାଜଙ୍କ ପାଇଁ ବଢିଲା ଅଡୁଆ : କ୍ରାଇମବ୍ରାଂଚରେ ହାଜର, ଦିଲ୍ଲୀ ପୋଲିସକୁ ଷ୍ଟାଟସ ରିପୋର୍ଟ ମାଗିଲେ କୋର୍ଟ

26

କନକ ବ୍ୟୁରୋ : ଦାତି ମହାରାଜଙ୍କ ପାଇଁ ବଢୁଛି ଅଡୁଆ । ଦିଲ୍ଲୀ ପୋଲିସକୁ ମାମଲାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି କୋର୍ଟ । ଆଜି ମଧ୍ୟ କ୍ରାଇମବ୍ରାଂଚରେ ହାଜର ହୋଇଛନ୍ତି ଦାତି ମହାରାଜ । ଆଉ ଦୁଷ୍କର୍ମ ଅଭିଯୋଗ ମାମଲାରେ ଜେରାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଗଣମାଧ୍ୟମ ସାମନାକୁ ଆସିଛନ୍ତି ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା । ସେ କହିଛନ୍ତି ଶନିଧାମରେ ହୋଇଥିବା ଅତ୍ୟାଚାରର କାହାଣୀ ।

ଖୋଲୁଛି ଦାତି ମହାରାଜ ଓରଫ ମଦନଲାଲଙ୍କ କଳା କାରନାମା । ଗଣମାଧ୍ୟମ ସାମନାରେ ମୁହଁ ଖୋଲିଛନ୍ତି ଦାତି ମହାରାଜଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀ । ସେପଟେ ଆଜି କ୍ରାଇମବ୍ରାଂଚରେ ପୁଣି ହାଜର ହୋଇଛନ୍ତି ଏହି ଆଧ୍ୟାତ୍ମିକ ଗୁରୁ । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଦାତି ମହାରାଜ ତାଙ୍କ ସହ ଦୁଷ୍କର୍ମ କରିବା ବ୍ୟତୀତ ଆଶ୍ରମର ଏକାଧିକ ଯୁବତୀଙ୍କୁ ଶୋଷଣ କରୁଥିଲେ । ଏପରିକି ଆଶ୍ରମ ଛାଡି ଚାଲି ଆସିବା ପରେ ବି ତାଙ୍କୁ ଧମକ ଚମକ ଦେଇ ଆଶ୍ରମକୁ ଡକାଯାଇଥିଲା ଓ ନିଆଯାଇଥିଲା ଦସ୍ତଖତ ।

ଦାତି ମହାରାଜଙ୍କ ବିରୋଧରେ ମୁହଁ ଖୋଲିବା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା ପ୍ରକାଶ କରିଛନ୍ତି ପୀଡିତା । ଏପରିକି ତାଙ୍କ ଜୀବନ ସମ୍ପୂର୍ଣ ନଷ୍ଟ ହୋଇ ସାରିଥିବା କହିବା ବେଳେ କଣ୍ଠସ୍ୱରରେ ଯନ୍ତ୍ରଣା ସ୍ପଷ୍ଟ ବାରି ହୋଇପଡୁଥିଲା । ଏହି ମାମଲାରେ ନ୍ୟାୟ ମାଗିଛନ୍ତି ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା । ଆଉ ଦାତି ମହାରାଜଙ୍କ ମେଡିକାଲ ଯାଂଚ କରାଯିବା ସହ ଗିରଫ କରଯାଉ ବୋଲି ଦାବି କରିଛନ୍ତି । ଏଥିସହ ପୁଣି ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ନାଁ ଦୁଷ୍କର୍ମ ଅଭିଯୋଗରେ ଯୋଡ଼ି ହୋଇଯାଇଛି ।