‘ଡାକୋଟା’କୁ ନେଇ ଅନିଶ୍ଚିତତା ! କେବେ ଓଡ଼ିଶା ଆସିବ ବିଜୁ ବାବୁଙ୍କ ବିମାନ ?

35

କନକ ବ୍ୟୁରୋ : କେବେ ଓଡିଶା ଆସିବ ସ୍ୱର୍ଗତ ବିଜୁ ବାବୁଙ୍କ ଡାକୋଟା ବିମାନ । ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ, ଡାକୋଟାକୁ ଓଡିଶା ଆଣିବାକୁ ଏଯାଏଁ କୌଣସି ନିଷ୍ପତି ହୋଇନାହିଁ । ରାଜ୍ୟ ସରକାରଙ୍କ ତରଫରୁ ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆକୁ କୌଣସି ଚିଠି ଲେଖାଯାଇନଥିବା ସୂଚନା ମିଳିଛି ।

ବିଜୁ ପଟ୍ଟନାୟକଙ୍କ ସାହସିକତା ଓ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନ ଏବେ ଓଡିଶା ଆସିବନି । ଆରଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ, ବିମାନର ହସ୍ତାନ୍ତରକୁ ନେଇ ବର୍ତ୍ତମାନ କୌଣସି ନିଷ୍ପତି ହୋଇନାହିଁ । ଏପରିକି ଓଡିଶା ସରକାରଙ୍କ ପକ୍ଷରୁ ଏନେଇ କୌଣସି ଚିଠି ମିଳିନଥିବା ଏୟାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ଓଡିଶା ଆସିଲେ ଡାକୋଟାକୁ କେଉଁଠି ରଖାଯି , କିଛି ଦିନ ତଳେ ତାକୁ ନେଇ ଜୋରି ଧରିଥିଲା ରାଜନୀତି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଏହି ଗୌରବକୁ ବିମାନ ବନ୍ଦର କିମ୍ବା କଟକର ଆନନ୍ଦ ଭବନରେ ରଖିବାକୁ ଦାବି କରିଥିଲେ ନେତା । ହେଲେ ଏବେ ଜଣାପଡିଛି, ଅନିଶ୍ଚିତତା ଘେରରେ ରହିଛି ଡାକୋଟାର ଓଡିଶା ସ୍ଥିତି ।ଡାକୋଟା ବିମାନରେ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସେତେବେଳେ ଉଦ୍ଧାର କରିଥିଲେ ସ୍ୱର୍ଗତ ବିଜୁପଟ୍ଟନାୟକ । ସେଥିପାଇଁ ଏହି ବିମାନକୁ ବିଜୁଙ୍କ ବୀରତ୍ୱର ଗାଥା ବୋଲି କୁହାଯାଉଛି ।