ରଥଯାତ୍ରା ଦେଖିବାରୁ ବଂଚିତ ହୋଇପାରନ୍ତି ଅନେକ ଶ୍ରଦ୍ଧାଳୁ ! ସିଧା ପ୍ରସାରଣ ଉପରେ କଟକଣା ଲଗାଇବାକୁ ସରକାରଙ୍କ ଉଦ୍ୟମ ।

274

କନକ ବ୍ୟୁରୋ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାସଳଖ ଟିଭି ପ୍ରସାରଣ ଉପରେ ଏକ ବଡ଼ଧରଣର କଟକଣା ଲଗାଇବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ରଥଯାତ୍ରାର ସିଧା ପ୍ରସାରଣ କରିବାକୁ ହେଲେ ଟେଲିଭିଜନ ଚ୍ୟାନେଲ ଗୁଡିକୁ ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଉଥିବା ଟେଣ୍ଡର ନିଲାମ ପ୍ରକ୍ରିୟାରେ ଭାଗ ନେବାକୁ ନୋଟିସ୍ କରାଯାଇଛି । ତେବେ ମନ୍ଦିର ବାହାରେ ଘଟୁଥିବା ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ କେଉଁ ଅଧିକାରରେ ପ୍ରଶାସନ ନିଲାମ କରିବେ ଏବଂ ସିଧାପ୍ରସାରଣ ଉପରେ ରୋକ ଲଗାଇବେ ତାକୁ ନେଇ ସୃଷ୍ଟି ହୋଇଛି ବିତର୍କ ।

ଟିଭି ଚ୍ୟାନେଲଗୁଡ଼ିକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସିଧାପ୍ରସାରଣ ଉପରେ କଟକଣା ଲଗାଇବା ପାଇଁ ଏ ହେଉଛି ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିଲାମର ନୋଟିସ୍ । ଆସନ୍ତା ୧୦ ତାରିଖ ସୁଦ୍ଧା ଟେଲିଭିଜନ୍ ଚାନେଲଗୁଡ଼ିକ ଏହି ନିଲାମରେ ଭାଗ ନେବାକୁ ଆହ୍ୱାନ କରାଯାଇଛି । ନିଲାମ ବା ବିଡିଂ ନେଇ ପ୍ରକାଶ ପାଇଥିବା ସର୍ତାବଳୀରେ କୁହାଯାଇଛି ଯେ ଯେଉଁ ଚାନେଲଗୁଡ଼ିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ପ୍ରସାରଣରେ ଭାଗ ନେବେ ସେମାନଙ୍କର ଅନ୍ତତଃ ୫ ବର୍ଷର ଅଭିଜ୍ଞତା ଥିବ । ତେବେ ସର୍ବାଧିକ ଅର୍ଥରେ ନିଲାମ ଧରିବାକୁ ଚାହୁଁଥିବା ସଂସ୍ଥାକୁ ଯେ ପ୍ରସାରଣ ଅଧିକାର ମିଳିଯିବ ସେମିତି କିଛି ବାଧ୍ୟବାଧ୍ୟକତା ନାହିଁ । ଜଗନ୍ନାଥ ମନ୍ଦିର ପ୍ରଶାସକ ଚାହିଁଲେ କୌଣସି କାରଣ ନଦର୍ଶାଇ ସର୍ବୋଚ୍ଚ ନିଲାମ ବା ବିଡିଂକୁ କାଟିଦେଇପାରିବେ । ତେବେ ଦୂରଦର୍ଶନକୁ ମାଗଣାରେ ଫିଡ୍ ଦେବା ପାଇଁ ଏଥିରେ କୁହାଯାଇଛି ।

ରାଜ୍ୟ ସରକାର ରଥଯାତ୍ରାର ସିଧାପ୍ରସାରଣ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ମନ୍ଦିର ବାହାରେ ଘଟୁଥିବା ଜଗନ୍ନାଥଙ୍କ ଏହି ରଥଯାତ୍ରାକୁ କେଉଁ ଅଧିକାରରେ ରାଜ୍ୟ ସରକାର ନିଲାମ କରିବେ ଏବଂ ସିଧାପ୍ରସାରଣ ଉପରେ ରୋକ ଲଗାଇବେ ତାକୁ ନେଇ ବିତର୍କ ସୃଷ୍ଟି ହୋଇଛି ।

ମନ୍ଦିର ପ୍ରଶାସନ ଜାରି କରିଥିବା ନିଲାମ ନୋଟିସର ଅର୍ଥ ହେଉଛି, ଯେଉଁ ଚାନେଲ ନିଲାମରେ ବାଜି ମାରିବ, ତା ପାଖରେ ହିଁ ପ୍ରସାରଣ ଅଧିକାର ରହିବ । ସେ ଚାହିଁଲେ ଅନ୍ୟ ଚାନେଲକୁ ଏହି ପ୍ରସାରଣ ଅଧିକାର ବିକିପାରେ କିମ୍ବା କେବଳ ନିଜେ ହିଁ ଏହାର ପ୍ରସାରଣ କରିପାରେ । ଏହା ଫଳରେ ଅନେକ ଦର୍ଶକ ମହାପ୍ରଭୁଙ୍କ ରଥଯାତ୍ରାର ସିଧା ପ୍ରସାରଣ ଦେଖିବାରୁ ବଂଚିତ ହୋଇପାରନ୍ତି । ନିଲାମ ନୋଟିସରେ ରଥଯାତ୍ରା ସହ ଯୋଡ଼ି ହୋଇ ରହିଥିବା ସ୍ନ୍ାନଯାତ୍ରା, ବାହୁଡ଼ା, ସୁନାବେଶ, ଅଧାରପଣା ଓ ନୀଳାଦ୍ରିବିଜେର ସିଧାପ୍ରସାରଣ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରାଯାଇଛି ।
କେଉଁ ପରିସ୍ଥିତିରେ ରାଜ୍ୟ ସରକାର ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣରେ କଟକଣା ଲଗାଇବା ପାଇଁ ଏଭଳି ଏକ କଡ଼ା ନିଷ୍ପତ୍ତି ନେଲେ ତାହା ବୁଝିହେଉନାହିଁ । ଏ ନେଇ ଆମେ ଆଇନମନ୍ତ୍ରୀ ଓ ମନ୍ଦିର ପ୍ରଶାସକଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଏ ସଂପର୍କରେ କିଛି କହିବାକୁ ରାଜି ହୋଇନଥିଲେ ।

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରତି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ । ରଥ ଉପରେ କାଳିଆର ଦର୍ଶନ କରି ଭକ୍ତର ଆଖିରୁ ଲୁହ ଝରିଆସେ । କାରଣ ଏ ଏମିତି ଏକ ମୁହୂର୍ତ ଯେତେବେଳେ ଭକ୍ତ ଓ ଭଗବାନ ଏକାକାର ହୋଇଯାଆନ୍ତି । ଆଉ ଏହି ପ୍ରସଙ୍ଗରେ ସରକାରଙ୍କ ନିଲାମୀ ନୋଟିସ୍ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି ।