ନୃଶଂସତାର ସୀମା ଟପିଲା ବୋହୂ । ୮୦ ବର୍ଷୀୟା ବୃଦ୍ଧା ଶାଶୂଙ୍କୁ ଅସହ୍ୟ ନିର୍ଯାତନା ଦେଉଥିଲା ବୋହୂ, ଭିଡିଓ ଭାଇରାଲ ପରେ ଗିରଫ କଲା ପୋଲିସ

ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ବୋହୁକୁ ଗିରଫ କରିଛି । 

743
କନକ ବ୍ୟୁରୋ: କଥାରେ ଅଛି ବାପା ମା’ ହେଉଛନ୍ତି ପିଲାମାନଙ୍କ ପ୍ରଥମ ଭଗବାନ । ସକାଳୁ ସକାଳୁ ପାଦ ଧୂଳି ନେଇ ମୁଁଣ୍ଡରେ ମାରିଲେ ଦିନ ଭଲରେ କଟିଥାଏ, ସବୁ କାମ ସଫଳ ହୋଇଥାଏ । କିନ୍ତୁ ଆଜିକାଲି ପୁଅ, ବୋହୂ ବାପା ମା’ଙ୍କୁ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଠିକ ସେହିଭଳି ବୋହୂ ଶାଶୂକୁ ନିର୍ଯାତନା ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ୮୦ ବର୍ଷୀୟ ବୃଦ୍ଧା ଶାଶୂଙ୍କୁ ତାଙ୍କ ବୋହୂ ନିସ୍ତୁକ ମାଡ ମାରୁଛନ୍ତି  । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ବୋହୁକୁ ଗିରଫ କରିଛି ।
ଭାଇରାଲ ହୋଇଥିବା ଭିଡିଓରେ ମାଆ ସମାନ ଶାଶୂଙ୍କ ଚୁଟି ଧରି ଟାଣି ମାଡ ମାରୁଥିବା ଦେଖିବାକୁ ମିଳିଛି । ଗୋଡ-ହାତ ମୋଡି ପକାଉଛି । ପିଠିକୁ ଗୋଇଠା ବିଧା ବି ମାରୁଛି । କଥା କଥାକେ ଅଶ୍ଳୀଳ-ଅଭଦ୍ର ଗାଳି । ଖଟ ଉପରୁ ଉଠିବାକୁ ଅକ୍ଷମ ବୁଢୀ ଶାଶୂଙ୍କ ଉପରେ ବୋହୂର ଏଭଳି ନିର୍ଯାତନା ସବୁ ସୀମା ଟପିଯାଇଛି । ଏହି ଘଟଣାଟି ଘଟିଛି ହରିୟାଣା ମହେନ୍ଦ୍ରଗଡ ଜିଲ୍ଲାରେ । ୮୦ବର୍ଷୀୟ ଏହି ବୃଦ୍ଧାଙ୍କୁ ତାଙ୍କ ବୋହୂ ସବୁବେଳେ ମାରପିଟ୍ କରନ୍ତି । ଠିକରେ ଖାଇବାକୁ ଦିଅନ୍ତି ନାହିଁ । ଶାଶୂଙ୍କୁ ସେବା ଦେବା ବଦଳରେ ବାରମ୍ବାର ନିର୍ଯ୍ୟାତନା ଦିଅନ୍ତି । ତେବେ ଶାଶୂଙ୍କ ଉପରେ ବୋହୂର ଏଭଳି ନିର୍ଯାତନାକୁ ମୋବାଇଲରେ ରେକର୍ଡ କରିଥିଲେ ପାଖରେ ରହୁଥିବା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ । ପରେ ଭିଡିଓଟିକୁ ହ୍ୱାଟସଆପ୍ ଓ ଫେସବୁକରେ ପୋଷ୍ଟକରିଥିଲେ । ପୋଲିିସ ଏହି ଭାଇରାଲ ଭିଡିଓ ଆଧାରରେ ବୋହୂଙ୍କୁ ଗିରଫ କରିଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଦେଖିଲେ ଛାତି ଥରି ଉଠୁଛି । ୮୦ ବର୍ଷୀୟ ବୃଦ୍ଧାଙ୍କ ଅବସ୍ଥା ଯେତିକି ଦୁଃଖ ଦେଉଛି ତାଠାରୁ ଅଧିକ ବୋହୂ ଉପରେ ରାଗ ଆସୁଛି । ସତରେ କଣ ଜଣେ ବୋହୂ ଏଭଳି ସଇତାନ ରୂପ ନେଇପାରେ । ଯାହାର ଟିକେ ବୋଲି ମଣିଷପଣିଆ ନାହିଁ ।