କନକ ବ୍ୟୁରୋ : ହାତ ଧରିବେ ପଞ୍ଚାନନ କାନୁନଗୋ । କ୍ଷମତା ଅଳିନ୍ଦରୁ ଦୀର୍ଘ ଦିନ ଧରି ଦୂରେଇ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଆଜି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେବେ । ସିଧାସଳଖ ଭାବେ କହିବାକୁ ଗଲେ ପୁଣିଥରେ ଘରବାହୁଡା କରିବେ ପଞ୍ଚାନନ । ଏହାସହ ପଞ୍ଚାନନ କେଉଁ ଦଳରେ ଯୋଗ ଦେବ ତାହାକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସକ୍ରିୟ ରାଜନୀତିରୁ ଦୀର୍ଘ ଦିନ ଦୂରେଇ ରହିଥିବା ପଞ୍ଚାନନଙ୍କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ଖାସକରି ଦାମଙ୍କ ସମ୍ଭାବ୍ୟ ଦଳରେ ପଞ୍ଚାନନ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଥିଲା । କିନ୍ତୁ ଆଜି ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।
ବିଜେଡି ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ପଞ୍ଚାନନ କାନୁନଗୋ ୨୦୦୮ରେ ବିଜେଡି ଛାଡିଥିଲେ । ଆଉ ଏହାପରେ ଦୀର୍ଘ ୧୧ ବର୍ଷ ସକ୍ରିୟ ରାଜନୀତିରୁ ଦୂରେଇ ରହିବା ପରେ ପୁଣିଥରେ ରାଜନୀତି ମୈଦାନକୁ କମବ୍ୟାକ କରିଛନ୍ତି । ୧୯୭୦ ମସିହାରେ କଂଗ୍ରେସରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ପଞ୍ଚାନନ ଏନଏସୟୁଆର ପ୍ରତିଷ୍ଠାତା ସଦସ୍ୟ ଥିଲେ । ତେବେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ ଯିବାପରେ କଂଗ୍ରେସ ଛାଡିଥିଲେ ପଞ୍ଚାନନ ।
ଜେଲରୁ ଫେରିବା ପରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ ପଞ୍ଚାନନ କାନୁନଗୋ । ଜନତା ପାର୍ଟି ଟିକେଟରେ ୧୯୭୭ରେ ଗୋବିନ୍ଦପୁର ଆସନରେ ନିର୍ବାଚନ ଲଢି ବିଜୟ ହୋଇଥିଲେ ପଞ୍ଚାନନ । ଏହାପରେ ଦୀର୍ଘ ବର୍ଷ ଧରି ସେ ଭୋଟ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ । ତେବେ ୧୯୯୫ ମସିହାରେ ଜନତା ଦଳ ଟିକେଟରେ ପଞ୍ଚାନନ ବିଜୟୀ ହୋଇଥିବା ବେଳେ ୧୯୯୭ରେ ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହ ୨୦୦୦ ମସିହାରେ ବିଜେଡି ଟିକେଟରେ ବିଜୟୀ ହୋଇ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।
ତେବେ ୨୦୦୪ ନିର୍ବାଚନରେ ପରାଜିତ ହେବା ପରେ ଦଳୀୟ ନେତୃତ୍ୱ ସହ ତାଙ୍କର ସର୍ମ୍ପକ ବିଗିଡିଥିଲା । ଏପରିକି ଦଳ ବିରୋଧରେ ମନ୍ତବ୍ୟ ଦେଇ ୨୦୦୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ପଞ୍ଚାନନ । ଏହାପରେ ସକ୍ରିୟ ରାଜନୀତିରୁ ଦୂରେଇ ରହିଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ହେଉଥିବା ହଲଚଲ ଉପରେ ତୀକ୍ଷ୍ମ ନଜର ରଖିଥିଲେ ପଞ୍ଚାନନ । ଆଉ ଯେତେବେଳେ ଜଣକ ପରେ ଜଣେ ନେତା କଂଗ୍ରେସ ଦଳକୁ ବାଏ ବାଏ କରୁଛନ୍ତି ସେତେବେଳେ ପୁରୁଣା ଘରକୁ ବାହୁଡିବେ ପଞ୍ଚାନନ । କେବଳ ଏତିକି ନୁହେଁ ଏହି ଅଭିଜ୍ଞ ସର୍ମ୍ପନ୍ନ ରାଜନେତାଙ୍କ ଅଭିଜ୍ଞତା ମଧ୍ୟ କଂଗ୍ରେସକୁ ୨୦୧୯ ନିର୍ବାଚନରେ ବେଶ ଫାଇଦା ଦେବ ବୋଲି ଆକଳନ କରାଯାଉଛି ।