କାତାରରେ ପାଳନ ହେଲା ଉତ୍କଳ ଦିବସ । ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ୮୯ ତମ ଉତ୍କଳ ଦିବସ ପାଳିତ ।

151

କନକ ବ୍ୟୁରୋ: ପ୍ରବାସୀ ଓଡିଆ ସଂଗଠନ ‘ଉତ୍କଳିକା କାତାର’ ଆନୁକୁଲ୍ୟରେ ୮୯ତମ ଉତ୍କଳ ଦିବସ ଗତ ଏପ୍ରିଲ ମାସ ୨୬ ତାରିଖରେ କାତାରସ୍ଥିତ ହଲିଡେ ଭିଲ୍ଲା ହୋଟେଲ୍ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ସଂଧ୍ୟାକୁ କାତାରସ୍ଥିତ ଭାରତୀୟ ଦୂତାବାସର ବରିଷ୍ଠ କୂଟନୀତିଜ୍ଞ ସଂଦୀପ କୁମାର ମହାଶୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ସହ ଉଦଘାଟନ କରିଥିଲେ। କାତାରସ୍ଥିତ ବଙ୍ଗୀୟ ପରିଷଦର ପୂର୍ବତନ ଅଧକ୍ଷା ଜୟନ୍ତୀ ମୈତ୍ର, ଉତ୍କଳିକା କାତାରର ପୂର୍ବତନ ଅଧକ୍ଷା ସୁସ୍ମିତା ପଟ୍ଟନାୟକ ଏବଂ ଭାରତୀୟ ସାଂସ୍କୃତିକ ପରିଷଦର ପୂର୍ବତନ ସଭାପତି ସୁଧୀର ଗୁପ୍ତା ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ।

‘ଉତ୍କଳିକା କାତାର’ ର ସଭାପତି ଡା. ବସନ୍ତ କୁମାର କବି ଉପସ୍ଥିତ ୨୦୦ ରୁ ଅଧିକ ପ୍ରବାସୀ ଓଡିଆ ମାନଙ୍କୁ ଉତ୍କଳ ଜନନୀର ଐତିହ୍ୟ, ସଂସ୍କୃତି ଓ ସ୍ୱାଭିମାନ ସଂପର୍କରେ ଆଲୋକପାତ କରିଥିଲେ। ଏହି ଉତ୍କଳ ଦିବସ ସମାରୋହରେ ଓଡିଶାର କଳା, ନୃତ୍ୟ ଓ ସ୍ୱତନ୍ତ୍ରତା ସଂଗ୍ରାମୀମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବାର ଲକ୍ଷ୍ୟ ନେଇ ପ୍ରବାସୀ ଓଡିଆମାନଙ୍କ ଦ୍ୱାରା ସ୍ୱପ୍ରସ୍ତୁତ ଓଡିଶୀ ନୃତ୍ୟ, ନାଟକ, ଫେସନ୍ ସୋ ଓ ଅଭିନୟ ଆଦି ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ‘ଉତ୍କଳିକା କାତାର’ ର ସ୍ମରଣିକା ‘ଡିଜିଟାଲ ବର୍ଣାଳୀ’ ଉନ୍ମୋଚିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସଂଗଠନରେ ବିଶିଷ୍ଠ ଅବଦାନ ପାଇଁ ପ୍ରବାସୀ ଓଡିଆ ଦୀପିକା ନାୟକ, ଦୀପକ କୁମାର ସ୍ୱାଇଁ ତଥା ଜ୍ୟୋତିର୍ମୟ ରାଉତ ପ୍ରମୂଖଙ୍କୁ “କର୍ମବୀର ସମ୍ମାନ” ରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ‘ଉତ୍କଳିକା କାତାର’ ର ଉପସଭାପତି ନିହାର ରଂଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦିକା ଇପ୍ସିତା ଶତପଥୀ, ସାଂସ୍କୃତିକ ସଂପାଦକ ସାଗର ମହାନ୍ତି ଓ ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନ କରିବାରେ ସହଯୋଗ କରିଥିଲେ। ପରିଚାଳନା ସମିତିର ପ୍ରମୂଖ ଉପଦେଷ୍ଠା ଖାରବେଳ ପାଣିଗ୍ରାହୀ, ସରୋଜ କୁମାର ପଣ୍ଡା, ଦୀପକ ପଟେଲ, ଡା. ଶାରଦା ପ୍ରସାଦ ଡାକୁଆ, କାଜଲ୍ ବିଶ୍ୱାଳ, ଗୌତମ ମେହେର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ପୁନମ୍ ଜାନପ୍ପାରେଡ୍ଡି,ନିହାରିକା ସ୍ୱାଇଁ, ଜୟଶ୍ରୀ ମହାପାତ୍ର, ପ୍ରିୟଦର୍ଶିନୀ ସେନାପତି, ରଶ୍ମିତା ମିଶ୍ର, ତୁଷାର ରଂଜନ ମିଶ୍ର, ପ୍ରିୟଦର୍ଶୀ ଦାଶ,ବିଭୂ ଆଚାର୍ଯ୍ୟ, ସତ୍ୟଜିତ ସାମଲ, ଜଗନ୍ନାଥ ଗନ୍ତାୟତ, ସୁନୀଲ ଡାକୁଆ ପ୍ରମୂଖ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶେଷରେ ଉପସ୍ଥିତ ଦର୍ଶକ ମାନଙ୍କୁ ଧନ୍ୟବାଦ ଅର୍ପଣ ସହ ସାଂସ୍କୃତିକ ସଂନ୍ଧ୍ୟାର ସମାପନ ହୋଇଥିଲା।