ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଧିକାରୀ : ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ

933

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଧିକାରୀ । ଲାଞ୍ଚୁଆ ଆଇଏଏସ୍ ଅଧିକାରୀ ଗିରଫ । ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କଲା ଭିଜିଲାନ୍ସ । ବିଲ୍ ପାସ କରାଇବା ପାଇଁ ଲାଞ୍ଚ ନେଉଥିଲେ ବଡ଼ବାବୁ, ଆଉ ସେତିକିବେଳେ ଧରିପକାଇଲା ଭିଜିଲାନ୍ସ ।

ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ନିଆଯାଇଥିବା ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା । ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା । ତେବେ ଏହି ଘଟଣା ନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସୂଚନା ଜାରି କରାଯାଇନାହିଁ । ଧରାପଡ଼ିବା ପରେ ଆଇଏଏସ୍‌ ଅଧିକାରୀଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ଚାଲିଛି ବୋଲି ଜଣାପଡ଼ିଛି ।

୨୦୦୯ ବ୍ୟାଚର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ । ତେବେ ସବୁଠାରୁ ଉଦବେଗର ବିଷୟ ହେଲା ଏତେ ବଡ଼ ବଡ଼ ପଦପଦବୀରେ ଥାଇ କାହିଁକି ଲାଞ୍ଚ ନେଉଛନ୍ତି ବଡ଼ ବଡ଼ ବାବୁମାନେ । ଜଣେ ଆଇଏଏସ୍‌ ଅଧିକାରୀ ଏଭଳି ଭାବେ ଧରାପଡ଼ିବା ଘଟଣା ସରକାରୀ ଅଧିକାରୀ ମହଲରେ ଆଲୋଚ୍ୟ ହୋଇଛି।