ଅଧିସୂଚନା ଜାରି । ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ପାଇଁ ଦିଲ୍ଲୀରେ ଖୋଲିବ ୪ ମତଦାନ କେନ୍ଦ୍ର

53

କନକ ବ୍ୟୁରୋ : ବର୍ଷବର୍ଷ ଧରି ନିଜ ଜନ୍ମମାଟିରୁ ଦୂରେଇ ରହି ବିସ୍ଥାପନ ଜୀବନ କାଟୁଥିବା କାଶ୍ମୀର ପଣ୍ଡିତମାନଙ୍କ ମତଦାନ ପାଇଁ ଦିଲ୍ଲୀରେ ୪ଟି ସ୍ୱତନ୍ତ୍ର ପୋଲିଂ ଷ୍ଟେସନ କରାଯିବ । ଏହା ମାଧ୍ୟମରେ ସେ ନିଜ ଅଞ୍ଚଳର ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟଦାନ କରିପାରିବେ । ଏନେଇ ନିର୍ବାଚନ ଆୟୋଗ ଏକ ଅଧିସୂଚନା ଜାରି କରିଛନ୍ତି । ଦିଲ୍ଲୀରେ କାଶ୍ମୀର ପଣ୍ଡିତଙ୍କ ସଂଖ୍ୟା ପାଖାପାଖି ୬୦ ହଜାର । ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ତରଫରୁ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ମତଦାନ କରାଇବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ସହିତ ଜଡିତ ଅଧିକାରୀଙ୍କ ସୂଚନା ମୁତାବକ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ମତଦାନ ପାଇଁ ଜମ୍ମୁରେ ୨୧ଟି, ଉଦ୍ଦମପୁରରେ ଗୋଟିଏ ଓ ଦିଲ୍ଲୀରେ ୪ଟି ସ୍ୱତନ୍ତ୍ରମତଦାନ କେନ୍ଦ୍ର ଖୋଲାଯାଇଛି । ଅଧିକାରୀ କହିଛନ୍ତି କି, ମତଦାତାମାନେ ଦୁଇପ୍ରକାର ମତଦାନ କରିପାରିବେ । ପ୍ରଥମଟି ଏମ୍ ଫର୍ମ ଭରି ବିଶେଷ ମତଦାନ କେନ୍ଦ୍ରରେ ଓ ଦ୍ୱିତୀୟଟି ଡାକ ମତପତ୍ର ମାଧ୍ୟମରେ ମତଦାନ କରିପାରିବେ । ଯେଉଁଥି ପାଇଁ ମତଦାତାଙ୍କୁ ଫର୍ମ ୧୨-ସି ଭରିବାକୁ ପଡିବ ।