୧୧ ଦିନରେ ପହଂଚିଲା ଶିକ୍ଷକ ଆନ୍ଦୋଳନ ! ବ୍ଳକ୍ ଗ୍ରାଂଟ ପ୍ରଥା ଉଚ୍ଛେଦ ଦାବିରେ ଶିକ୍ଷକ ଓ ଅଧ୍ୟାପକଙ୍କ ଅହୋରାତ୍ର ଧାରଣ

40

କନକ ବ୍ୟୁରୋ: ବ୍ଳକ୍ ଗ୍ରାଂଟ ଭଳି ଘୃଣ୍ୟ ପ୍ରଥାର ଉଛେଦ ଦାବିରେ ବ୍ଲକଗ୍ରାଂଟ ଶିକ୍ଷକଙ୍କ ଓ ଆନ୍ଦୋଳନ ୧୧ ଦିନରେ ପହଁଚିଛି । ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ଫଳରେ ୫ ହଜାର ବ୍ଲକଗ୍ରାଣ୍ଟ ସ୍କୁଲ, କଲେଜରେ ପାଠପଢ଼ା ବନ୍ଦ। ସରକାରଙ୍କ ସହ ତିନି ଥର ଆଲୋଚନା ପରେ ବି ସମାଧାନର ବାଟ ନ ବାହାରିବାରୁ ଆନ୍ଦୋଳନ ଜାରି ରଖିଛନ୍ତି ୬୦ ହଜାର ଶିକ୍ଷକ ।

ସାରା ଦେଶରେ ଗତକାଲି ବିଘ୍ନ ବିନାଶକ ଗଜାନନଙ୍କ ଆରାଧନା ଚାଲିଥିବା ବେଳେ ବ୍ଲକଗ୍ରାଣ୍ଟ ସ୍କୁଲ, କଲେଜରେ ସବୁ କିଛି ଠପ୍ ହୋଇଯାଇଛି । ଶିକ୍ଷାନୁଷ୍ଠାନକୁ ପୂଜା କରିବାକୁ ଆସି ନିରାଶ ହୋଇ ଫେରିଛନ୍ତି ଛାତ୍ରଛାତ୍ରୀ । ତେବେ କେତେକ ସ୍କୁଲରେ ଛାତ୍ରଛାତ୍ରୀ ଶିକ୍ଷକଙ୍କ ବିନା ଗଣେଶଙ୍କ ପୂଜା କରିଥିବାବେଳେ ଧାରଣାରତ ଶିକ୍ଷକମାନେ ରାଜଧାନୀ ରାଜରାସ୍ତାରେ ଗଜାନନଙ୍କ ଆରାଧନା କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ସ୍ଥଳରେ ଗତକାଲ ଆଉ ୩ ଜଣ ଶିକ୍ଷକ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଲୋୟର ପିଏମଜିସ୍ଥିତ ଧାରଣାସ୍ଥଳରେ ଶିକ୍ଷକ, ଅଧ୍ୟାପକ, କର୍ମଚାରୀମାନେ ଏକାଠି ହୋଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । ପୂର୍ବାହ୍ନରେ ଧାରଣାସ୍ଥଳରେ ହଜାର ହଜାର ଶିକ୍ଷକଙ୍କ ସମାଗମ ହେବା ପରେ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ସାରା ଅଞ୍ଚଳ । ତେବେ ପିଲାଙ୍କ ସହ ବିଦ୍ୟାଳୟରେ ଗଣେଶ ପୂଜା କରିବାରୁ ବଞ୍ଚିତ ହୋଇଥିବାରୁ ଏଥିପାଇଁ ସେମାନେ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ ।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା କହିଛନ୍ତି ଯେ, ସରକାର ଆଲୋଚନା କରି ପୂର୍ବ ନିଷ୍ପତ୍ତି ଦୋହରାଉଛନ୍ତି । ପୂର୍ବଭଳି ପ୍ରତିଶ୍ରୁତି ଦେଇ ଶିକ୍ଷକମାନଙ୍କୁ ଠକିବାର ମସୁଧାରେ ଅଛନ୍ତି । ଚାକିରି ସର୍ତ୍ତାବଳୀ ନ ଦେଇ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରିବା କଥା କହିବା ଏକ ପ୍ରହେଳିକା । ଏହାର ଦୃଢ଼ ଜବାବ ଦିଆଯିବ । ଆଲୋଚନା ସମୟରେ ୨୦୧୮ ଏପ୍ରିଲ ବେଳକୁ ଅନୁଦାନ ଦେବେ ବୋଲି ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ବ୍ଲକଗ୍ରାଣ୍ଟ ପାଉଥିବା ଅନେକ ଶିକ୍ଷକ, ଅଧ୍ୟାପକ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଖଟି ସାରିଲେଣି । ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ୭୦ ଭାଗ ଶିକ୍ଷକ ଅବସର ନେଇଯିବେ । ଅଥଚ ସରକାର ଚାକିରି ସର୍ତ୍ତାବଳୀ ଦେବାକୁ ନାରାଜ । ୨୦୦୪ରୁ ୨୦୧୬ ମଧ୍ୟରେ ଏକାଧିକ ଥର ପ୍ରତିଶ୍ରୁତି ଦେଇ ସରକାର ପ୍ରତାରଣା କରି ସାରିଛନ୍ତି । ତେଣୁ ଶିକ୍ଷକମାନେ ଆଉ ବିଶ୍ୱାସ କରୁନାହାନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ, ଯେଉଁଦିନଠାରୁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେହିଦିନଠାରୁ ବରିଷ୍ଠତାକୁ ଗୁରୁତ୍ୱ ଦେଇ ଚାକିରି ସର୍ତ୍ତାବଳୀ ସହ ଗତ ୨୦୧୭ ଜୁନ୍ ୧ରୁ ନୋସ୍ନାଲି ଦରମା ଧାର୍ଯ୍ୟ କରି ପୂର୍ଣ୍ଣ ଅନୁଦାନ ଦିଆ ନ ଗଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ । ସୋମବାରଠାରୁ ସମସ୍ତ ବର୍ଗର ଶିକ୍ଷକ, କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ । ଦରକାର ପଡ଼ିଲେ ସମସ୍ତ ସ୍କୁଲ, କଲେଜରେ ପାଠପଢ଼ା ବନ୍ଦ କରି ଦିଆଯିବ ବୋଲି ସେମାନେ କହିଛନ୍ତି । ବିଦ୍ୟାଳୟ, କଲେଜରେ ଛାତ୍ରଛାତ୍ରୀ ଗଣେଶ ପୂଜା କରିପାରି ନ ଥିବାରୁ ମିଳିତ ମଞ୍ଚ ଦୁଃଖ ପ୍ରକାଶ କରିଛି ।