ସାରା ରାଜ୍ୟରେ ଅଗ୍ନିବର୍ଷା: ଦିନ ୨ଟା ସୁଦ୍ଧା ୪୧.୯ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

151

କନକ ବ୍ୟୁରୋ: ରାଜ୍ୟରେ କଲବଲ କରୁଛି ତାତି । ଦିନ ସାଢ଼େ ୨ଟା ସୁଦ୍ଧା ୪୧.୯ ଡିଗ୍ରୀ ତାପମାତ୍ରା ସହ ସବୁଠୁ ତତଲା ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ ତାଠୁ ଅଧିକ ରହିଛି । ଚାନ୍ଦବାଲିରେ ୪୧.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୪, ବାଲେଶ୍ୱରରେ ୪୦.୫, ସମ୍ବଲପୁରରେ ୪୦.୩, କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪ ଦିନ ଧରି ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ କରାଇଛି ଆଂଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । ୧୭ରୁ ୨୦ତାରିଖ ଭିତରେ କିଛି ଜିଲ୍ଲାରେ ତାତି ୪୩ରୁ ୪୫ଡିଗ୍ରୀ ପହଂଚିବା ନେଇ ଆଶଙ୍କା କରାଯାଉଛି । ରାଜ୍ୟକୁ ଆସୁଥିବା ଶୁଷ୍କ ବାୟୁ ଓ ସୂର୍ଯ୍ୟକିରଣର ତୀବ୍ରତା ବଢ଼ିବା ଯୋଗୁଁ ତାତି ବଢ଼ିବ । ଆଗାମୀ ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ରୁ ୬ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି ।