୭୫ ଟଙ୍କିଆ ମୁଦ୍ରା ଜାରି କରିବେ ପ୍ରଧାନମନ୍ତ୍ରୀ ମୋଦି! ଜାଣନ୍ତୁ କାହା ସ୍ମୃତିରେ ଜାରି କରାଯିବ ଏହି ମୁଦ୍ରା ଓ କଣ ରହିଛି ଏଥିରେ ଖାସ୍

294

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡାମାନ ଓ ନିକୋବର ଗସ୍ତ ସମୟରେ ପୋର୍ଟ ବ୍ଲେୟାରରେ ୧୫୦ ଫୁଟର ଜାତୀୟ ପତାକା ଉତ୍ତୋଳନ କରିବେ । ଏହାଛଡା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରେ ଏକ ସ୍ମାରକୀ ମୁଦ୍ରା ଜାରି କରିବେ । ୭୫ ଟଙ୍କାର ଏହି ସ୍ମାରକୀ ମୁଦ୍ରା ଅନ୍ୟ ମୁଦ୍ରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ । ଆଜକୁ ୭୫ ବର୍ଷ ପୂର୍ବେ ୧୯୪୩ରେ ପୋର୍ଟ ବ୍ଲେୟାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସର୍ବପ୍ରଥମ ଜାତୀୟ ପତାକା ଉଡାଇଥିଲେ ।

ନେତାଜୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସ୍ମାରକୀ ମୁଦ୍ରା ଜାରି କରାଯାଉଥିବା ଚର୍ଚ୍ଚା ହେଉଛି । ଏହି ମୁଦ୍ରା ସାଧାରଣରେ ବ୍ୟବହାର କରାଯାଇ ପାରିବ ନାହିଁ । ଏହା କେବଳ ସ୍ମାରକ ଭାବେ ରହିବ । ସାଧାରଣ ଲୋକ ଏହାକୁ ଆରବିଆଇରୁ ପାଇପାରିବେ । ଏହି ୭୫ ଟଙ୍କିଆ ମୁଦ୍ରାର ଦାମ ପାଖାପାଖି ୩୦୦୦ ଟଙ୍କା ରହିବ ।

ଗତମାସ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇ ୭୫ ଟଙ୍କିଆ ମୁଦ୍ରା ପ୍ରଚଳନ ନେଇ ସୂଚନା ଦିଆଯାଇଥିଲା । ପୋର୍ଟ ବ୍ଲେୟାରରେ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସ୍ମାରକୀ ମୁଦ୍ରା ଜାରି କରାଯିବ ବୋଲି ସୂଚନା ଦିଆଯାଇଥିଲା । ମୁମ୍ବାଇର ମୁଦ୍ରଣ କାରଖାନରେ ଏହି ସ୍ମାରକୀ ମୁଦ୍ରା ନିର୍ମାଣ କରାଯାଇଛି ।

ସ୍ମାରକୀ ମୁଦ୍ରା ସର୍ମ୍ପକରେ କିଛି :
୭୫ ଟଙ୍କିଆ ସ୍ମାରକୀ ମୁଦ୍ରାର ଓଜନ ୩୫ ଗ୍ରାମର ରହିବ । ଏହି ମୁଦ୍ରାରେ ୫୦ ପ୍ରତିଶତ ରୂପା, ୪୦ ପ୍ରତିଶତ ତମ୍ବା ଓ ୫ ପ୍ରତିଶତ ଲେଖାଏଁ ନିକେଲ ଓ ଜିଙ୍କ୍ ଧାତୁ ବ୍ୟବହାର କରାଯିବ । ରିପୋର୍ଟ ମୁତାବିକ ମୁଦ୍ରାରେ ସେଲ୍ୟୁଲାର ଜେଲର ପଛରେ ତ୍ରିରଙ୍ଗାକୁ ସୁଭାଷ ଚନ୍ଦ୍ର ବୋଷ ସଲାମ ଦେଉଥିବାର ଚିତ୍ର ରହିବ । ଏହାଛଡା ମୁଦ୍ରାର ତଳପାଶ୍ୱର୍ରେ ୭୫ ଲେଖାଯିବ । ଯାହା ନେତାଜୀଙ୍କ ୭୫ ବର୍ଷ ପୂର୍ତ୍ତିକୁ ସୂଚାଇବ । ମୁଦ୍ରାରେ ଦେବନାଗରୀ ଓ ଇଂରାଜୀରେ ପ୍ରଥମ ଧ୍ୱଜାରୋହଣ ଦିବସ ବୋଲି ଉଲ୍ଲେଖ ରହିବ ।