ପରାଜୟ ପରେ କଙ୍ଗାରୁ ଦଳର ଅଧିନାୟକଙ୍କ ବଡ ବୟାନ ! କହିଲେ କୋହଲି ଓ ପୂଜାରାଙ୍କୁ ଦଳରୁ ବାଦ୍ ଦିଅ, ତମ ଅବସ୍ଥା ବି ଆମ ଭଳି ହେବ ।

1,187

ମେଲବୋର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଠାରୁ ୧୩୭ ରନରେ ପରାଜୟ ହେବା ପରେ, ହାରିବାର କିଛି ଏଭଳି କାରଣ ରଖିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର ଅଧିନାୟକ ଟିମ୍ ପେନ୍ । ସେ ସ୍ୱୀକାର କରିଛନ୍ତି ଯେ, ଅଷ୍ଟ୍ରେଲିଆ ଦଳର ଦୁଇ ତାରକା ଖେଳାଳୀ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ୍ ୱାର୍ନର ଦଳ ପାଇଁ ନଖେଳିବା ଏହି ପରାଜୟର ବଡ କାରଣ ଅଟେ । ସେ କହିଛନ୍ତି, ସ୍ମିଥ ଏବଂ ୱାର୍ନରଙ୍କ ବିନା ଭାରତର ଟପ୍ କ୍ଲାସ ବୋଲିଂ ଆକ୍ରମଣକୁ ସାମ୍ନା କରିବାରେ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ବିଫଳ ହୋଇଛି । ତୃତୀୟ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୧୩୭ ରନରେ ହରାଇବା ସହ ୪ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ତେବେ ଟେଷ୍ଟ ଇତିହାସରେ ଏହା ଭାରତର ୧୫୦ତମ ବିଜୟ ।

ତୃତୀୟ ଟେଷ୍ଟରେ ପରାଜୟ ପରେ ସାମ୍ବାଦିକ ସମ୍ମିଳନୀରେ କଙ୍ଗାରୁ ଦଳର ଅଧିନାୟକ ଟିମ୍ ପେନ କହିଛନ୍ତି, ଦଳରେ ଅନୁଭବୀ ଖେଳାଳୀ ବାଦ ପଡିଥିବାରୁ ଅଷ୍ଟ୍ରେଲିଆକୁ ପରାଜୟର ସାମ୍ନା କରିବାକୁ ପଡିଛି । ବିଶେଷ କରି ବଲ ଟାମ୍ପରିଂ ମାମଲାରେ ଛନ୍ଦି ହୋଇ ଦୁଇ ବର୍ଷ ପର୍ଯ୍ୟନ୍ତ କ୍ରିକେଟରୁ ବାସନ୍ଦ ହୋଇଥିବା ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ୍ ୱାର୍ନର ମ୍ୟାଚ୍ ନଖେଳିବା ପରାଜୟର ବଡ କାରଣ ଅଟେ ବୋଲି ଟିମ୍ ପେନ୍ କହିଛନ୍ତି । ସେହିପରି କେମରନ୍ ବେନକ୍ରାଫ୍ଟଙ୍କ ଅନୁପସ୍ଥିତତା ମଧ୍ୟ ଦଳ ଉପରେ ପ୍ରଭାବ ପକାଇଛି ।

ତେବେ ସାମ୍ବାଦିକ ସମ୍ମିଳନୀରେ ଭାରତର ବୋଲିଂ ବାହିନୀକୁ ପ୍ରଶଂସା କରିଛନ୍ତି କଙ୍ଗାରୁ ଦଳର ଅଧିନାୟକ । ଏହା ସହ ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂ ଷ୍ଟାଇଲକୁ ମଧ୍ୟ ସେ ପ୍ରଂଶସା କରିଛନ୍ତି । ପେନ୍ କହିଛନ୍ତି, ଭାରତ ପାଖରେ କୋହଲି ଏବଂ ପୂଜାରାଙ୍କ ଭଳି ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ଅଛନ୍ତି, ଯେଉଁମାନେ ଦଳର ସ୍କୋରକୁ ୪୦୦ ଆଗକୁ ନେଇଯାଇଥିଲେ । କିନ୍ତୁ ଅଷ୍ଟ୍ରେଲିଆ ପାଖରେ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ନଥିବାରୁ ସେମାନେ ଭାରତୀୟ ବୋଲର ମାନଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ । ତେବେ ସବୁଠାରୁ ବଡ କଥା ହେଉଛି, ଟିମ୍ ପେନ୍ କହିଛନ୍ତି, ଯଦି ଭାରତୀୟ ଦଳରୁ କୋହଲି ଏବଂ ପୂଜାରାଙ୍କୁ ବାଦ୍ ଦିଆଯାଏ, ତେବେ ଟିମ୍ ଇଣ୍ଡିଆର ଅବସ୍ଥା ମଧ୍ୟ ଅଷ୍ଟ୍ରେଲିଆ ଭଳି ହେବ ।