ସେନାରେ ଭର୍ତ୍ତି ହେବାର ସ୍ୱପ୍ନ…..ପ୍ରତିଦିନ ଅଧରାତିରେ ଅଫିସ୍ ସାରି ୧୦ କିଲୋମିଟର ଦୌଡି ଦୌଡି ଘରକୁ ଫେରୁଛନ୍ତି ଯୁବକ । ଭାଇରାଲ ହେଲା ଭିଡିଓ…

645

କନକ ବ୍ୟୁରୋ: ୧୯ ବର୍ଷୀୟ ଗୋଟିଏ ବାଳକ ହଠାତ୍ ଅଧରାତିରେ ରାସ୍ତାରେ ଦୌଡୁଥାଏ । ଦେହରେ ଗମ୍ ଗମ୍ ଝାଳ, ହେଲେ ମୁହଁରେ କୌଣସି ବି ଉଦାସ୍ ମନୋଭାବ ନଥାଏ । ଏହି ସମୟରେ ଫିଲ୍ମ ନିର୍ମାତା ବିନୋଦ କାପଡିଙ୍କ କାର ସେହି ରାସ୍ତା ଦେଇଗଲା ବେଳେ, ନଜର ପଡିଯାଏ ସେହି ବାଳକ ଉପରେ, ଆଉ ସେ ଅଧରାତିରେ ପିଲାଟିକୁ ଦୌଡୁଥିବା ଦେଖି ଲିଫ୍ଟ ଦେବାକୁ କହୁନ୍ତି । ହେଲେ ପିଲାଟି ଯାହା କହେ, ତାର ଭିଡିଓ ସୋସିଆଲ୍ ମିଡିଆରେ ଲକ୍ଷ ଲକ୍ଷ ପସନ୍ଦ କରିଥାନ୍ତି ।

ଆମେ କହୁଛୁ ମାର୍ଚ୍ଚ ୨୦ ତାରିଖରେ ଫିଲ୍ମ ନିର୍ମାତା ବିନୋଦ କାପଡି ସେୟାର କରିଥିବା ଏକ ଭିିଡିଓ ବିଷୟରେ । ଯାହାକୁ ଦେଖିବା ପରେ ଆପଣ ବି ସେହି ୧୯ ବର୍ଷୀୟ ବାଳକର ଫ୍ୟାନ୍ ହୋଇଯିବେ । ଅସଲ କଥା ହେଉଛି କିଛି ଏହି ପରି । ୧୯ ବର୍ଷୀୟ ଏହି ବାଳକ ଜଣକ ହେଉଛନ୍ତି ପ୍ରଦୀପ ମେହେରା । ଯିଏକି ମ୍ୟାକଡୋନାଲ୍ଡ କମ୍ପାନୀରେ ଚାକିରି କରୁଛନ୍ତି । ହେଲେ ଇଚ୍ଛା ତାଙ୍କର ସେନାରେ ଭର୍ତ୍ତି ହେବା ପାଇଁ । ତେଣୁ ସେ ରାତି ଅଧରେ ଘରକୁ ଫେରିବା ସମୟରେ କୌଣସି ଗାଡି କିମ୍ବା ସାଇକେଲରେ ନଯାଇ ପୂରା ରାସ୍ତାକୁ ଦୌଡି ଦୌଡି ପାର୍ କରିଥାନ୍ତି ।

ପ୍ରଦୀପ ସକାଳ ସମୟରେ ଦୌଡିବା ଅଭ୍ୟାସ କରିବାକୁ ସମୟ ପାଇନଥାନ୍ତି । ତେଣୁ ସେନାରେ ଭର୍ତ୍ତି ହେବାର ସ୍ୱପ୍ନ ପୂରଣ କରିବା ପାଇଁ ସେ ରାତିକୁ ହିଁ ବାଛି ନେଇଛନ୍ତି । ଆଉ ପ୍ରତିଦିନ ଏମିତି ଦୌଡି ଦୌଡି ଘରକୁ ଫେରି ସେ ଦିନେ ନା ଦିନେ ସେନାରେ ଭର୍ତ୍ତି ହେବାକୁ କସରତ ଜାରି ରଖିଛନ୍ତି ।

ପ୍ରଦୀପଙ୍କ ଏହି ଦୌଡିବା ବେଳର ଭିଡିଓ ଫିଲ୍ମ ନିର୍ମାତା ବିନୋଦ କାପଡି ସୋସିଆଲ୍ ମିଡିଆରେ ସେୟାର କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ପିଲାଟି କେମିତି ୧୦ କିଲୋମିଟର ପର୍ଯ୍ୟନ୍ତ ଦୌଡି ଦୌଡି ନିଜ ଘରକୁ ଫେରୁଛି ତାହା ଅନେକଙ୍କ ମନରେ ଏହି ଭିଡିଓଟିକୁ ଦେଖିବାକୁ ଉତ୍ସାହ ଭରୁଛି । ତେବେ ବିନୋଦ କାପଡି ନିଜେ ହିଁ ଏହି ଭିଡିଓ ବେଶ ଭାଇରାଲ ହେବ ବୋଲି କହୁଥିବା ଶୁଣିବାକୁ ମିଳୁଛି । ଯାହାର ଜବାବରେ ପିଲାଟି ହସିଦେଇ କହୁଛି, ମୋତେ କିଏ ଜାଣେ, ଭାଇରାଲ ହେଉ ଠିକ୍ ଅଛି । ମୁଁ କିଛି ବି ଭୁଲ କରୁନି ।

ଖାଲି ସେତିକି ନୁହେଁ, ବିନୋଦ କାପଡି ସେହି ପିଲାଟିକୁ ସାଥିରେ ରାତ୍ରିଭୋଜନର ଅଫର୍ ମଧ୍ୟ ଦେଇଥିଲେ । ହେଲେ ସେ ନିଜର ଲକ୍ଷ୍ୟ ଓ ସ୍ୱପ୍ନ ପୂରଣ କରିବାକୁ ଯାଇ ଏହି ଅଫରକୁ ଗ୍ରହଣ କରିନଥିଲେ । ଯଦି ସେ ତାଙ୍କ ସହିତ ରାତ୍ରୀ ଭୋଜନ କରିବାକୁ ଯାଉଛନ୍ତି, ତେବେ ତାଙ୍କ ଭାଇଙ୍କୁ ଓପାସରେ ଶୋଇବାକୁ ପଡିବ ବୋଲି ସେ ଭିଡିଓରେ କହୁଛନ୍ତି । ଯାହାକି ଏବେ ଅନେକ ଲୋକଙ୍କ ହୃଦୟ ଜିତିଛି ।