କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ନୂଆ ମୋଡ : ୨ ଷଡ଼ଯନ୍ତ୍ରକାରୀଙ୍କ ସହ ୪ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା

74

କନକ ବ୍ୟୁରୋ : ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ୨ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ରହିଥିବା କୁହାଯାଉଛି । ବାବା ମହାପାତ୍ର ଓ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଅଟକ ରହିଥିବା ସୂଚନା ମିଳିଛି । ଏତଲାକୁ ଭିତି କରି ଏମାନଙ୍କୁ ଅଟକ ରଖିଛି ପୁରୀ ପୁଲିସ । ଏ ନେଇ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି ଜନାର୍ଦ୍ଦନ ପାଢୀ । ତେଣୁ ପୁଣିଥରେ ଏହି ହତ୍ୟାକାଣ୍ଡ ପ୍ରତିଶୋଧ ପାଇଁ ହୋଇଥିବା ସଂଦେହ ଆହୁରି ଦୃଢ଼ ହୋଇଛି ।

ଗୋଟିଏ ପଟେ ରକ୍ତ ଭିଜା କାଗଜପତ୍ର ଜବତ, ଯାହା ଜମି ବିବାଦ ଆଡକୁ ଇଙ୍ଗିତ କରୁଥିବା ବେଳେ ଅନ୍ୟପଟେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କୁ ପୁଲିସ ଅଟକ ରଖିବା, ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ଦିଗକୁ ସୂଚାଉଛି । ଏହି ହତ୍ୟାକାଣ୍ଡ ପାଇଁ ୩୦ ଲକ୍ଷ ଟଙ୍କା ସୁପାରୀ ଦିଆଯାଇଥିବା ବେଳେ ୨ ଲକ୍ଷ ଅଗ୍ରୀମ ଦିଆଯାଇଥିବା କୁହାଯାଉଛି । ତେବେ ହତ୍ୟାକାଣ୍ଡ ସହ ସିଧାସଳଖ ସଂପର୍କ ଥିବା ଅପରାଧୀଙ୍କ ପାଖରେ ପହଁଛି ପାରିନି ପୁରୀ ପୁଲିସ । ଗତ ୧୬ତାରିଖ ଦିନ ପୁରୀରେ ଘଟିଥିବା ଏହି ଗୁଳିକାଣ୍ଡ ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ସ୍ପଷ୍ଟ ଦିବାଲୋକରେ ସହର ମଝିରେ ଜନଗହଳିପୂର୍ଣ୍ଣ ଅଂଚଳରେ ଘଟିଥିଲା ଏହି ଗୁଳିକାଣ୍ଡ । ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଥିଲା ।

କୃଷ୍ଣ ପ୍ରତିହାରୀଙ୍କ ଭାଇ ନରସିଂହ ପ୍ରତିହାରୀ ପୁରୀ ଟାଉନ୍ ଥାନାରେ ଦାୟର କରିଥିବା ଏଫଆଇଆର୍ରେ ଟୁଟୁ, କୁନୁମୁନି, ବାବା ମହାପାତ୍ର, ଓ ହରିପଣ୍ଡା ଗୁଳିମାଡ଼ କରିଥିବା ଉଲ୍ଲେଖ କରିଥିଲେ । ରକ୍ତ ଜୁଡ଼ୁବୁଡ଼ କାଗଜ, ୩ ହଳ ଚପଲ ଓ ୪ଟି ଖୋକା ଜବତ କରିଥିଲା ଫରେନସିକ୍ ଟିମ୍ ଓ ପୁଲିସ । ଏହାକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଇଥିଲା ପୁଲିସ । ୨୦୧୨ରେ ପୁରୀର ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲା ସହ ଏହି ହତ୍ୟାକାଣ୍ଡର ସଂପର୍କ ଥିବା ସଂଦେହ କରାଯାଇଥିଲା । କାରଣ ଗୁନ ସିଂହାରୀ ହତ୍ୟାକାଣ୍ଡରେ କୃଷ୍ଣ ପ୍ରତିହାରୀଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ତାଙ୍କୁ ଅନ୍ୟତମ ଷଡଯନ୍ତ୍ରକାରୀ ବୋଲି କୁହାଯାଉଥିଲା ଏବଂ ପୋଲିସ ଗିରଫ ବି କରିଥିଲା । ଘଟଣାର ପ୍ରାୟ ୯ ବର୍ଷ ପରେ ନିର୍ଦ୍ଦୋଷରେ ତାଙ୍କୁ ଖଲାସ କରିଥିଲେ କୋର୍ଟ । ଏପଟେ କୃଷ୍ଣ ପ୍ରତିହାରୀଙ୍କୁ ଗୁଳିମାଡ଼ କରି ଅଭିଯୁକ୍ତମାନେ ଚାଲି ଯାଉଥିବା ବେଳେ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦଙ୍କ ଶପଥ ପୂରଣ ହେଲା ବୋଲି କହିଥିବା ଏଫଆଇଆର୍ କପିରେ ଉଲ୍ଲେଖ କରିଥିଲେ କୃଷ୍ଣଙ୍କ ଭାଇ ନରସିଂହ ପ୍ରତିହାରୀ ।