ଯୁବପିଢୀଙ୍କ ପ୍ରଥମ ପସନ୍ଦ ରାଜଧାନୀର ଫିପ୍ଟି ଫିପ୍ଟି ଗମେଂଟ ଖଟି: ବିଭିନ୍ନ ପ୍ରକାର ଚା’ ସାଙ୍ଗକୁ ରହିଛି ନୂଆ ଭେରାଇଟିର ଫାଷ୍ଟଫୁଡ଼ ଆଇଟମ୍

152

କନକ ବ୍ୟୁରୋ: ଫିପ୍ଟି ଫିପ୍ଟି ଗମେଂଟ ଖଟି.. ରାଜଧାନୀରେ ଥିବା ଏହି ଖଟି ଏବେ ଯୁବପିଢୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ଆଜ୍ଞା ହଁ ଇଏ ଏମିତି ଏକ ଖଟି, ଯେଉଁଠି ସଂଧ୍ୟା ହେଲେ କଲେଜ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କ ଭିଡ଼ ଜମୁଛି । ଦିନ ସାରାର ଟେନସନ୍ ଭିତରେ ଟିକିଏ ମାଇଣ୍ଡ ଫ୍ରେସ କରିବାକୁ ଅନେକ ଲୋକ ଏହି ଫିପ୍ଟି ଫିପ୍ଟି ଗମେଂଟ ଖଟିକୁ ଆସୁଛନ୍ତି । ଏହି ଚା’ଖଟିରେ ସ୍ଲୋ ମିଉଜିକ୍ ସାଙ୍ଗକୁ ରଙ୍ଗ ବେରଙ୍ଗର ଝିଲମିଲ ଲାଇଟ୍ ଲୋକଙ୍କୁ ବେଶ ଆକୃଷ୍ଟ କରୁଛି । ରାଜଧାନୀର ପାସପୋର୍ଟ ଅଫିସ ଛକ ରାସ୍ତା କଡ଼ରେ ଥିବା ଏହି ଖଟିରେ ମିଳେ ବିଭିନ୍ନ ଭେରାଇଟ୍ ଚା’ । ଏଇ ଯେମିତି ଫାୟାର ଚା’, ଚିଙ୍ଗାରି ଟି, ମଲେଇ ତନ୍ଦୁରି ଚା’, ମଟକା ଚା’ ଆଉ ଭଳିକି ଭଳି ମକଟେଲ ମଧ୍ୟ ଏଠାରେ ରହିଛି । ସେହିପରି ମିଲ୍କ ସେକ୍, ସ୍ମୋକ୍ ବିସ୍କୁଟ୍, ମ୍ୟାଗି, ସ୍ୟାଣ୍ଡ୍ୟୁଚ୍, ପିଜା, ବରଗର, କୁଲହଟ୍ ପିଜା ମଧ୍ୟ ଏଠାରେ ମିଳୁଛି । ଯାହାକୁ ଖାଇବାକୁ ରାଜଧାନୀବାସୀଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ଏହି ଚା’ ଖଟିକୁ ଆରମ୍ଭ କରିଛନ୍ତି ନୟାପଲ୍ଲୀ ନୂଆସାହିର ଶିକ୍ଷିତ ଯୁବକ ସନ୍ତୋଷ କୁମାର ବେହେରା । ପିଲାଦିନୁ ସରକାରୀ ଚାକିରି କରିବାକୁ ଲକ୍ଷ୍ୟ ରଖିଥିଲେ ସନ୍ତୋଷ । ଏଥିପାଇଁ ସେ ତାଙ୍କ ପାଠପଢା ମଧ୍ୟ ଜାରି ରଖିଥିଲେ । କିନ୍ତୁ ହଠାତ୍ କରୋନା ମହାମାରୀ ସବୁ କିଛି ବିଗାଡ଼ିଦେଲା । ବାଣିଜ୍ୟରେ ସ୍ନାତକ ପରେ ସେ କଷ୍ଟିଂ କରୁଥିଲେ । ଅର୍ଥ ଅଭାବରୁ ତାଙ୍କର ପାଠପଢା ଅଧାରେ ଅଟକିଗଲା । ଆଉ ପାଠପଢାରେ ଏକ ପ୍ରକାର ଡୋରି ବନ୍ଧା ହୋଇଗଲା । ପରିବାର ପ୍ରତିପୋଷଣ ପାଇଁ କିଛି ବନ୍ଧୁଙ୍କ ସହଯୋଗରେ ଆରମ୍ଭ କଲେ ଏଇ ଫିପ୍ଟି-ଫିପ୍ଟି ଗମେଂଟ ଖଟି । ଆଉ ଏହି ଚା’ ଖଟି ଏବେ ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି ।

ସେପଟେ ଏହି ଚା’ ଖଟିକୁ ନେଇ ସନ୍ତୋଷ କୁହନ୍ତି, ଲୋକଙ୍କ ଭଲ ପାଇବା ଯୋଗୁଁ ବେଶ ଦୁଇ ପଇସା ରୋଜଗାର ହେଉଛି । ଆଗକୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହିପରି ଚା’ ଖଟି କରି ଅନ୍ୟମାନଙ୍କୁ ନିଯୁକ୍ତି ଦୋବା ନେଇ ସେ ଲକ୍ଷ୍ୟ ରଖିଛନ୍ତି ।