ବିରୋଧ ପ୍ରଦର୍ଶନର ପ୍ରଭାବ : ରଦ୍ଦହେଲା କୁସ୍ତିସଂଘର ବୈଠକ, ଅଟକିଲା ଗୋଣ୍ଡା ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ

74

କନକ ବ୍ୟୁରୋ : କୁସ୍ତି ମହାସଂଘ ବିରୋଧରେ ଅଭିଯୋଗ ଆସିବା ଓ ଏହାକୁ ନେଇ କିଛି ଖେଳାଳୀ ଧାରଣାରେ ବସିବା ପରେ ଆକ୍ସନମୋଡକୁ ଆସିଛି ଖେଳ ମନ୍ତ୍ରଣାଳୟ । ଯାଂଚ ନିଷ୍ପତ୍ତି ଓ କମିଟି ଗଠନ ନେଇ ଘୋଷଣା ପରେ ଶନିବାର ଦିନ ଖେଳ ମନ୍ତ୍ରଣାଳୟ ଦୁଇଟି ବଡ ନିଷ୍ପତ୍ତି ନେଇଛି । ପ୍ରଥମେ କୁସ୍ତି ମହାସଂଘର ସହ ସଂପାଦକ ବିନୋଦ ତୋମରଙ୍କୁ ନିଲମ୍ବିତ କରାଯାଇଛି । ବିନୋଦ ତୋମରଙ୍କ ଉପରେ ଅନୁଶାସନହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କଥା କୁହାଯାଇଛି । ଏହାସହ ଗୋଣ୍ଡାରେ ଚାଲିଥିବା ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟକୁ ରଦ୍ଦ କରାଯାଇଛି । କେବଳ ସେତିକି ନୁହେଁ ଆଜି ଅଯୋଧ୍ୟାରେ ହେବାକୁ ଥିବା କୁସ୍ତିମହାସଂଘର ସାଧାରଣ କମିଟି ବୈଠକକୁ ବି ରଦ୍ଦ କରାଯାଇଛି । ଏବେ ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ବୈଠକ ହୋଇପାରିବ ନାହିଁ ବୋଲି କୁହାଯାଇଛି ।

ସେପଟେ ଖେଳ ମନ୍ତ୍ରଣାଳୟ ତରଫରୁ ଗୋଣ୍ଡା ଠାରେ ଚାଲିଥିବା ରାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ରଦ୍ଦ ହେବାରୁ ଅନ୍ୟ ରାଜ୍ୟରୁ ଆସିଥିବା ଖେଳାଳୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ସେମାନେ ମନ୍ତ୍ରଣାଳୟ ଉର୍ଦ୍ଦେଶ୍ୟରେ ଚିଠି ମଧ୍ୟ ଲେଖିଛନ୍ତି । ଏଥିରେ ସେମାନେ ଖେଳ ପୂର୍ବରୁ ଜମା କରିଥିବା ପ୍ରବେଶ ଦେୟ ଫେରସ୍ତ ଦେବାକୁ ଦାବି କରିଛନ୍ତି ।

କୁସ୍ତି ମହାସଂଘର ସହ ସଂପାଦକ ବିନୋଦ ତୋମର ଗୋଟିଏ ଦିନ ପୂର୍ବରୁ କୁସ୍ତି ମହାସଂଘର ସଂପାଦକ ବ୍ରିଜଭୂଷଣ ଶରଣ ସିଂଙ୍କ ସମର୍ଥନରେ ବୟାନ ଦେଇଥିଲେ । ସେ କହିଥିଲେ କି ଖେଳାଳୀଙ୍କ ତରଫରୁ ବ୍ରିଜଭୂଷଣଙ୍କ ଉପରେ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ।

ଅନ୍ୟପଟେ ଖେଳ ମନ୍ତ୍ରଣାଳୟ ତରଫରୁ ଯାଂଚ କମିଟି ଗଠନ କରାଯିବା ନେଇ ଘୋଷଣା ହୋଇଛି । କ୍ରୀଡା ମନ୍ତ୍ରଣାଳୟ ଓ ଖେଳାଳୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ବ୍ରିଜ ଭୂଷଣ ଏବେ ଅଧ୍ୟକ୍ଷ ଭାବେ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି ।