ବିଜେଡି କାର୍ଯ୍ୟାଳୟରେ ସୁର । ନବୀନ ଓ ପାଣ୍ଡିଆନଙ୍କ ମଝିରେ ସ୍ଥାନ ପାଇଲା କଟଆଉଟ୍ । ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଫଟୋ…

14,420

କନକ ବ୍ୟୁରୋ: ବିଜେଡି କାର୍ଯ୍ୟାଳୟରେ ସୁର । ଏକଥା ଶୁଣି ଆପଣ ଚମକି ପଡିଥିବେ । ସୁରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର ରାଉତରାୟଙ୍କ ଫଟୋ ଦେଖିବାକୁ ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ସହ ସୁର ରାଉତରାୟଙ୍କ ଫଟୋ ରହିଛି । ନବୀନ ଓ ପାଣ୍ଡିଆନଙ୍କ ମଝିରେ ରହିଥିବା ସୁରଙ୍କ କଟଆଉଟ୍ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ସୁର ବାବୁ ବିଜେଡିକୁ ଆସିଗଲେ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଛନ୍ତି । ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରଣନୀତି କରୁଛନ୍ତି । ତେଣୁ ନୈତିକ ଭାବେ ବିଜେଡି ସହ ସୁର ରହିଥିବା ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ୨୦୨୪ ନିର୍ବାଚନରେ ରାଜନୀତିରେ ରୋଚକ ଚିତ୍ର ଦେଖିବାକୁ ମିଳୁଛି । ପରିବାର ଭିତରେ ଟିକେଟ୍ ରହିବା ପରେ ପୁଅଙ୍କ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ବାପା । ପାରମ୍ପରିକ ଗଡ଼ ରକ୍ଷା ପାଇଁ ବାପା-ପୁଅଙ୍କ ମିଳିତ ରଣନୀତି ଦେଖିବାକୁ ମିଳୁଛି । କଟକ ଜିଲ୍ଲା ମାହାଙ୍ଗାରେ ପ୍ରତାପ ଜେନାଙ୍କ ଟିକେଟ୍ କାଟି ପୁଅ ଅଙ୍କିତ ଜେନାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ପାଟକୁରାରେ ମଧ୍ୟ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ନୂଆପଡ଼ା ଆସନରେ ବସନ୍ତ ପଣ୍ଡାଙ୍କୁ ଟିକେଟ୍ କାଟି ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । କଂଗ୍ରେସ ବି ବଲାଙ୍ଗୀରରେ ନରସିଂହ ମିଶ୍ରଙ୍କ ସ୍ଥାନରେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଟିକେଟ୍ ଦେଇଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ପୁଅଙ୍କ ପାଖେ ପାଖେ ରହି ରଣନୀତି ବନାଉଛନ୍ତି ବାପା । ଦୀର୍ଘ ରାଜନୈତିକ ଅଭିଜ୍ଞତାକୁ ଉପଯୋଗ କରି ପୁଅର ବିଜୟ ସୁନିଶ୍ଚିତ କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଆଉ ଏତିକି ବେଳେ ଜଟଣୀ ରାଜନୀତିର ଚର୍ଚ୍ଚିତ ଚେହେରା ସୁର ରାଉତରାୟଙ୍କୁ ନେଇ ବଢିଛି ଚର୍ଚ୍ଚା । କାରଣ ରାଉତରାୟ ପରିବାର ଏବେ ଦୁଇ ଫାଳ । ସୁରଙ୍କ ଦୁଇ ପୁଅ ଦୁଇଟି ରାଜନୈତିକ ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ କାହାର ହେବେ ସୁର ତାକୁ ନେଇ ଦ୍ୱନ୍ଦ୍ୱରେ ବରିଷ୍ଠ ବିଧାୟକ । ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନିମାପଡ଼ାରୁ ଆସନରୁ ବିଧାନସଭା ପ୍ରାର୍ଥୀ । ସେପଟେ ସାନପୁଅ ମନ୍ମଥ ରାଉତରାୟ ବିଜେଡି ଟିକେଟ୍ରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ । ଏହାରି ଭିତରେ ମନ୍ମଥଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗରେ ସୁରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସାରିଛି କଂଗ୍ରେସ । ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯାଇଛି । ତେଣୁ ଚର୍ଚ୍ଚା ହେଉଛି, କଂଗ୍ରେସରୁ ଛିଡା ହୋଇଥିବା ବଡ଼ ପୁଅଙ୍କ ପାଇଁ ପ୍ରଚାର କରିବା ଅପେକ୍ଷା ସାନପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାକୁ ଅଧିକ ଆଗ୍ରହୀ ହୋଇପାରନ୍ତି ସୁର ।