ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଉତ୍ତର-ପୂର୍ବରେ ବମ୍ପର ମତଦାନ, ତ୍ରିପୁରାରେ ସର୍ବାଧିକ ଓ ଉତ୍ତପ୍ରଦେଶରେ ସର୍ବନିମ୍ନ । 

106

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ସରିଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁସାରେ, ସନ୍ଧ୍ୟା ୭ଟା ସୁଦ୍ଧା ୬୩ ପ୍ରତିଶତ ମତଦାନ ହୋଇଛି । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୋଟ ୮୮ ଆସନ ପାଇଁ ପଡିଛି ଭୋଟ । ତ୍ରିପୁରାରେ ସର୍ବାଧିକ ୭୭ ଦଶମିକ ୧୮ ପ୍ରତିଶତ ମତଦାନ ହୋଇଥିବା ବେଳେ ମଣିପୁରରେ ୭୬ ଦଶମିକ ୧ ପ୍ରତିଶତ, ଛତିଶଗଡ଼ରେ ୭୨ ପ୍ରତିଶତ, ପଶ୍ଚିମବଙ୍ଗରେ ୭୧ ପ୍ରତିଶତ ଏବଂ ଆସାମରେ ୭୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ତେବେ ଉତରପ୍ରଦେଶରେ ସର୍ବନିମ୍ନ ୫୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ କେରଳରେ ସମସ୍ତ ୨୦ଟି ଆସନରେ ମତଦାନ ହୋଇଛି ।

କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନରେ ମତଦାନ ହୋଇଥିବା ବେଳେ ମଧ୍ୟପ୍ରଦେଶର ୭, ବିହାର ଓ ଆସାମର ୫ଟି ଲେଖାଏଁ ଆସନ ଏବଂ ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ଟି ଲେଖାଏଁ ଆସନ ପାଇଁ ଶେଷ ହୋଇଛି ମତଦାନ । ଏହାବ୍ୟତୀତ ମଣିପୁର, ଜମ୍ମ-କଶ୍ମୀର, ତ୍ରିପୁରା ଓ ଦାଦର ନଗର ହାବେଳିର ଗୋଟିଏ ଲେଖାଏଁ ଆସନରେ ମତଦାନ ହୋଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କିଛି ହେଭିୱେଟ୍ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର, ଅଭିନେତା ଅରୁଣ ଗୋଭିଲ, ହେମା ମାଳିନୀ, ଓମ୍ ବିର୍ଲା ଏବଂ ଗଜେନ୍ଦ୍ର ସିଂହ ଶେଖାୱତ, ତେଜସ୍ୱୀ ସୂର୍ଯ୍ୟଙ୍କ ଭାଗ୍ୟ ପରୀକ୍ଷା ହୋଇଛି ।