ସରକାରଙ୍କ ବହି-ଖାତା: ଏକ ଟଙ୍କାର ଆୟ ଉପରେ କେତେ ଟଙ୍କା ଖର୍ଚ୍ଚ, କେତେ ଟଙ୍କା ଋଣ? ଜାଣନ୍ତୁ ବଜେଟର ପୂରା ଗଣିତ

224

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣ ବଜେଟ ପେଶ କରିବାକୁ ଯାଉଛନ୍ତି । ଏହି ବଜେଟରେ ଦେଶର ଜନତାଙ୍କୁ ଟାକ୍ସ ଠାରୁ ନେଇ ଅନେକ କ୍ଷେତ୍ରରେ କିଛି ଉପହାର ମିଳିପାରେ । ଅର୍ଥମନ୍ତ୍ରୀ କିଛି ଦିନ ପୂର୍ବରୁ ଗୋଟିଏ କାର୍ଯ୍ୟକ୍ରମରେ କହିଥିଲେ, ସରକାର ମଧ୍ୟବିତ୍ତଙ୍କ ଉପରେ ପଡୁଥିବା ବୋଝକୁ ବୁଝିପାରୁଛନ୍ତି । ଏହାକୁ ହାଲୁକା କରିବା ପାଇଁ କାମ ଜାରିରହିଛି । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ ପେଶ ହେବା ପୂର୍ବରୁ ପୁରୁଣା ବଜେଟ ଉପରେ ଟିକେ ନଜର ବୁଲାଇ ନେବା ଦରକାର । ସରକାର ଅପ୍ରେଲ ୨୦୨୨ରୁ ମାର୍ଚ୍ଚ ୨୦୨୩ ଯାଏ ୩୯.୪୪ ଲକ୍ଷ କୋଟିର ବଜେଟ ଖର୍ଚ୍ଚ ପାଇଁ ଅନୁମାନ କରିଥିଲେ ।

ବଜେଟ ହେଉଛି ସରକାରଙ୍କ ଆୟ ଉପରେ ବ୍ୟୟର ପୂରା ତାଲିକା । ଏଥିରେ ସରକାର ସ୍ପଷ୍ଟ କରିଥାନ୍ତି ସେ କେଉଁଥିରେ କେମିତି ଆୟ କରିବେ ଏବଂ ତାକୁ ଖର୍ଚ୍ଚ କରିବେ । ସରକାରଙ୍କ ଆୟ ଟାକ୍ସ ଓ ଡ୍ୟୁଟିରୁ ମିଳିଥାଏ । ଏଥିରୁ ବିଭିନ୍ନ ଯୋଜନା ମାଧ୍ୟମରେ ଖର୍ଚ୍ଚ ହୋଇଥାଏ । ତା ଛଡା ରାଜ୍ୟମାନଙ୍କୁ ଅର୍ଥ ପ୍ରଦାନ, ସବସିଡି ପ୍ରଦାନ, ପେନସନ ଅର୍ଥ ପ୍ରଦାନ, ପ୍ରତିରକ୍ଷା ବାବଦରେ ଖର୍ଚ୍ଚ ହୋଇଥାଏା ଆୟ ଓ ବ୍ୟୟ ଅନ୍ତରକୁ ଦୂର କରିବା ପାଇଁ ସରକାର କରଜ ନେଇଥାନ୍ତି । ୨୦୨୨-୨୩ ସାଧାରଣ ବଜେଟରେ ସରକାର ଖର୍ଚ୍ଚ ଏବଂ ଆୟର ପୂରା ତଥ୍ୟ ଦେଇଛନ୍ତି ।

୨୦୨୨-୨୩ର ବଜେଟ ଦସ୍ତାବିଜ ଅନୁସାରେ ସରକାର ଏକ ଟଙ୍କାର ଆୟ ଉପରେ ୩୫ ପଇସାର କରଜ ଅଂଶ ରହିଛି । ସେଥିରୁ ୨୦ ପଇସା ଋଣ ସୁଝିବା ବାବଦରେ ଖର୍ଚ୍ଚ ହୋଇଥାଏ । ସରକାରଙ୍କ ଆୟର ୧୫ ପଇସା ସାଧାରଣ ଲୋକଙ୍କ ଆୟକରରୁ ଆସିଥାଏ । ଏହାଛଡା ୧୫ ପଇସା ଆୟ କର୍ପୋରେସନ ଟାକ୍ସରୁ ଆସିଥାଏ । ଏକ୍ସସାଇଜ ଡ୍ୟୁଟିରୁ ୭ ପଇସାର ଆୟ ହୋଇଥାଏ । କଷ୍ଟମ ଡ୍ୟୁଟିରୁ ୫ ପଇସା ଏବଂ ଅଣଟିକସରୁ ୫ ପଇସାର ଆୟ ହୋଇଥାଏ । ସରକାର ଜିଏସଟିରୁ ୧୬ ପଇସା ଆୟ କରୁଛନ୍ତି । ଶେଷରେ କ୍ୟାପିଟାଲ ରିସିପ୍ଟରୁ ୨ ପଇସା ଆୟ କରିଥାନ୍ତି ।

ସରକାର ୧୫ ପଇସା କେନ୍ଦ୍ରୀୟ ଯୋଜନା ବାବଦରେ ଖର୍ଚ୍ଚ କରିଥାନ୍ତି । ଅର୍ଥ ଆୟୋଗକୁ ୧୦ ପଇସା ଯାଉଥିବା ବେଳେ ୧୭ ପଇସା ରାଜ୍ୟ ସରକାରଙ୍କ ଅଂଶ ରହିଛି । ୨୦ ପଇସା ଋଣ ସୁଝିବାରେ ଚାଲିଯାଇଥାଏ । ପ୍ରତିରକ୍ଷା କ୍ଷେତ୍ରରେ ୮ ପଇସା ଖର୍ଚ୍ଚ ହୋଇଥାଏ । ସରକାର ସବସିଡି ଉପରେ ୮ ପଇସା ଖର୍ଚ୍ଚ କରିଥାନ୍ତି । କେନ୍ଦ୍ର ପ୍ରୟୋଜିତ ଯୋଜନାରେ ୯ ପଇସା, ପେନସନ ବାବଦରେ ୪ ପଇସା ଏବଂ ଅନ୍ୟ ଖର୍ଚ୍ଚ ବାବଦରେ ୯ ପଇସା ଖର୍ଚ୍ଚ ହୋଇଥାଏ । ଏହିଭଳି ଭାବେ ସରକାର ଗତ ବଜେଟରେ ଖର୍ଚ୍ଚ କରିଥିବା ହିସାବ ରଖିଛନ୍ତି ।

ଗତ ବଜେଟରେ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୬୫,୦୦୦ କୋଟିର ନିବେଶ ଲକ୍ଷ୍ୟ ରଖିଥିଲେ । ତେବେ ସରକାର ନିଜର ଲକ୍ଷ୍ୟ ହାସଲ କରିପାରିନଥିଲେ । ବିପିସିଏଲର ପ୍ରସ୍ତାବିତ ବିକ୍ରି ସମ୍ଭବ ହୋଇପାରିନାହିଁ । ଭାରତୀୟ ଜୀବନ ବୀମା ନିଗମରୁ ସରକାରଙ୍କୁ ଆଶା ଅନୁସାରେ ରାଜସ୍ୱ ମିଳିପାରିନାହିଁ । ଆଇଡିବିଆଇ ବ୍ୟାଙ୍କର ବିକ୍ରି ୨୦୨୩ ଜୁନ ସୁଦ୍ଧା ଶେଷ ହେବାର ଆଶା କରାଯାଉଛି । ଏହିସ୍ଥିତିରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ନିବେଶର ଲକ୍ଷ୍ୟ କମ ରଖାଯାଇପାରେ ।