କାଲି ଓଡ଼ିଶା ଦେଖିବ ହେଭିୱେଟଙ୍କ ପ୍ରଚାର । ନବରଙ୍ଗପୁର ଓ ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନଡ୍ଡା, ସାଲେପୁରରେ କଂଗ୍ରେସ ପାଇଁ ପ୍ରଚାର କରିବେ ରାହୁଲ ।

87

କନକ ବ୍ୟୁରୋ: ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ । ଗୋଟିଏ ପଟେ କଂଗ୍ରେସର ସବୁଠାରୁ ବଡ଼ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡା । ଏହି ଦୁଇ ବଡ଼ ନେତା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯଦିଓ ଓଡ଼ିଶାରେ ବିଜେପି ପାଇଁ ନିର୍ବାଚନୀ ବିଗୁଲ ଫୁଙ୍କି ସାରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର ସେଭଳି ବଡ଼ ଚେହେରା ଓଡ଼ିଶାରେ ପାଦ ଦେଇଛନ୍ତି । ତେଣୁ ରାହୁଲ ଗାନ୍ଧୀ କାଲି ଓଡ଼ିଶାରେ ନିର୍ବାଚନୀ ବିଗୁଲ ବଜାଇବେ । ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବାକୁ ଥିବା ବେଳେ ନବରଙ୍ଗପୁରରେ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ସେହିପରି ଆସନ୍ତାକାଲି ସାଲେପୁରରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ସେହିପରି ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଏହି ଅବସରରେ ରାହୁଲ ଗାନ୍ଧୀ କଟକ ଜିଲ୍ଲା ସତ୍ୟଭାମାପୁର, ଉକ୍ରଳ ଗୌରବ ମଧୁସୂଧନ ଦାସଙ୍କ ଜନ୍ମପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି । ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଅଛନ୍ତି । ଗୁରୁବାର ଅମିତ୍ ଶାହ ସୋନପୁରରେ ଆୟୋଜିତ ସମାବେଶରେ ଯୋଗଦେବା ଅବସରରେ ରାଜ୍ୟ ସରକାରଙ୍କୁ ଖୁବ୍ ଟାର୍ଗେଟ୍ କରିଥିଲେ । ତେବେ ନଡ୍ଡାଙ୍କ ଆଭିମୁଖ୍ୟ କ’ଣ ରହିବ, ତା’ଉପରେ ରହିଛି ନଜର ।