ବିଜେଡି ଟିକେଟ ଘୋଷଣାରେ ବିଳମ୍ବ । କେବେ ଘୋଷଣା ହେବ ତାଲିକା, ଅପେକ୍ଷାରେ ନେତା ଓ କର୍ମୀ

506

କନକ ବ୍ୟୁରୋ : ଗତ କିଛିଦିନ ଭିତରେ ୧୭ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା କ୍ଷେତ୍ରଗୁଡିକୁ ନେଇ ନବୀନ ନିବାସରେ ସମୀକ୍ଷା ହୋଇଛି । କେବଳ ୪ଟି ଲୋକସଭା କ୍ଷେତ୍ର ବାକି ରହିଥିବାବେଳେ ଏଯାଏଁ ବିଜେଡି ଆଦୌ ପ୍ରାର୍ଥୀ ଘୋଷଣା କରିନାହିଁ । ହୋଲି ପରେ ବିଜେଡି ତାର ସାଂସଦ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ୧୮ଟି ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବାରୁ, ବିଜେଡି କେବେ ତାର ପ୍ରାର୍ଥୀ ଘୋଷଣା କରିବ ତାକୁ ନେଇ ଉକ୍ରଣ୍ଠା ବଢିବାରେ ଲାଗିଛି । ଆଉ ଏହାକୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ଆଗାମୀ ଦିନେ ଦୁଇଦିନ ମଧ୍ୟରେ ବିଜେଡି ତାର ଲୋକସଭା ପ୍ରାର୍ଥୀ ଘୋଷଣା ନକଲେ ସମସ୍ୟା ହୋଇପାରେ ବୋଲି ମତ ଦେଇଛନ୍ତି ।

ଏହାରି ଭିତରେ ବିଜେପି ତାର ୧୮ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବଡ ଚେହେରା ସମ୍ବଲପୁରରୁ ଲଢେଇ କରିବାକୁ ଯାଉଛନ୍ତି । ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡାରେ ମଇଦାନକୁ ଓହ୍ଲାଇଛି ଦଳ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ପ୍ରଦୀପ ପାଣିଗ୍ରାହୀ, ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । କଟକ ସାଂସଦ ଭର୍ତୃହରି ମହତାବ ମଧ୍ୟ ପଦ୍ମ ଶିବିରରୁ ଲଢିବା ନେଇ ଚର୍ଚ୍ଚା ହେଉଛି । ତେଣୁ ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରାଙ୍କୁ କାଉଂଟର କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ଏମାନଙ୍କ ବିରୋଧରେ ବିଜେଡିର ପ୍ରମୁଖ ଚେହେରାଙ୍କୁ ଓହ୍ଲାଇବା ପାଇଁ ଚିନ୍ତା କରୁଥାଇ ପାରନ୍ତି ଶୀର୍ଷ ନେତୃତ୍ୱ  । ଫଳରେ ଟିକେଟ ଘୋଷଣାରେ ବିଳମ୍ବ ହେଉଥାଇପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମତ ।

ଟିକେଟ ଘୋଷଣା ପାଇଁ ବିଜେଡି ଆଗରେ ଦୁଇଟି ଚ୍ୟାଲେଞ୍ଜ ରହିଛି । ପ୍ରତିପକ୍ଷଙ୍କୁ ଦେଖି ଟାଣୁଆ ନେତାଙ୍କୁ ମଇଦାନକୁ ଓହ୍ଲାଇବା । ଟିକେଟ କଟୁଥିବା ନେତାଙ୍କୁ ସନ୍ତୁଷ୍ଟ କରିବା    । ତେଣୁ ଦଳ ଭିତରେ ସମ୍ଭାବ୍ୟ ବିଦ୍ରୋହକୁ କିଭଳି ମୁକାବିଲା କରାଯିବ ସେନେଇ ମଧ୍ୟ ସ୍ୱତନ୍ତ୍ର ରଣନୀତି କରୁଥାଇପାରେ ବିଜେଡି ।