ରଙ୍ଗର ପର୍ବରେ ରଂଗେଇ ହେଲା ସାରା ଓଡିଶା । ଉତ୍ସବ ମୁଖର ହେଲା ଗାଁ ଠୁ ସହର, କର୍ମୀ ଓ ସମର୍ଥକଙ୍କ ସହ ହୋଲି ଖେଳିଲେ ନେତା

44

କନକ ବ୍ୟୁରୋ : ରଂଗର ପର୍ବ ହୋଲି ଅବସରରେ ସମସ୍ତେ ରଂଗଖେଳରେ ମସଗୁଲ ଅଛନ୍ତି । ଜାତି, ଧର୍ମ, ବର୍ଣ୍ଣ, ରାଜନୈତିକ ବିଚାରଧାରା ନିର୍ବିଶେଷରେ ସମସ୍ତେ ପରସ୍ପରକୁ ରଂଗ ଲଗାଇ ଶୁଭେଛା ଜଣାଇଛନ୍ତି । କିନ୍ତୁ ଏହାରି ଭିତରେ, ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ, ରଂଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଏଥର ଓଡିଶା ଗେରୁଆ ରଂଗରେ ରଙ୍ଗେଇ ହେବ ବୋଲି ବିଜେପି ନେତା ଦାବି କରିଥିବାବେଳେ, ବିଜେଡି ନେତା କହିଛନ୍ତି, ସବୁଜ ରଂଗ ରାଜ୍ୟ ପରିବେଶ ପାଇଁ ଅନୁକୂଳ ।

ଓଡିଶାରେ ପୂର୍ବରୁ କେବେ ରଂଗକୁ ନେଇ ରାଜନୀତି ହୋଇଥିବାର ନଜିର ନାହିଁ । କିନ୍ତୁ ହେବାକୁ ଯାଉଥିବା ନିର୍ବାଚନରେ, ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେବାକୁ ଯାଉଥିବାରୁ, ଓଡିଶାରେ ରଂଗ ରାଜନୀତି ଆହୁରି ଅଧିକ ଦେଖିବାକୁ ମିଳିବ ବୋଲି କୁହାଯାଉଛି । କାରଣ,ଏଥର ଓଡିଶାରେ ପରିବର୍ତନ ନିଶ୍ଚିତ ବୋଲି ବିଜେପି ନେତାମାନେ ଦାବି କରୁଥିବାବେଳେ ବିଜେଡି ନେତା କହିଛନ୍ତି, କାମ ଦେବନି ବିରୋଧୀଙ୍କ ଥିଓରୀ ।

ଗେରୁଆ ରଂଗକୁ ବିଜେପିର ରଂଗ ବୋଲି କୁହାଯାଏ । ବିଜେପିର ଟୋପିଠାରୁ ଆରମ୍ଭ କରି, ଦଳୀୟ ପତାକା ସବୁଥିରେ ରହିଛି ଗେରୁଆ ରଂଗ । ସେହିପରି ସବୁଜ ରଂଗକୁ ବିଜେଡିର ରଂଗ ବୋଲି ଏକପ୍ରକାର ଧରି ନିଆଯାଇଛି । ବିଜେଡିର ଦଳୀୟ ପତାକାଠାରୁ ଆରମ୍ଭ କରି, ଦଳୀୟ କାର୍ଯ୍ୟକ୍ରମରେ ସବୁଥିରେ ରହିଥାଏ ସବୁଜ ରଂଗ ।