ୱାୟନାଡରେ ତ୍ରିକୋଣୀୟ ମୁକାବିଲା । ଦ୍ୱିତୀୟ ସୁରକ୍ଷିତ ଲୋକସଭା ଆସନ ଖୋଜୁଛନ୍ତି କି ରାହୁଲ ଗାନ୍ଧୀ

222

କନକ ବ୍ୟୁରୋ : ୱାୟନାଡରେ ତ୍ରିକୋଣୀୟ ମୁକାବିଲା । ଦ୍ୱିତୀୟ ସୁରକ୍ଷିତ ଲୋକସଭା ଆସନ ଖୋଜୁଛନ୍ତି କି ରାହୁଲ ଗାନ୍ଧୀ । ୟୁପିର ଆମେଠି ଏବଂ ରାଏବରେଲି ଆସନରେ କିଏ ପ୍ରାର୍ଥୀ ହେବେ ଏବେ ବି ଅସ୍ପଷ୍ଟ ରହିଛି । ପଂଚମ ପର୍ଯ୍ୟାୟରେ ଏହି ଦୁଇ ଆସନରେ ପଡିବ ଭୋଟ୍ । ଉତରପ୍ରଦେଶର ଏହି ଦୁଇ ଆସନ ଗାନ୍ଧୀ ପରିବାରର ଗଡ ଭାବେ ପରିଚିତ । ଆଜି ଏହି ଦୁଇ ଆସନକୁ ନେଇ କଂଗ୍ରେସର ଶୀର୍ଷ ନେତା ଆଲୋଚନା କରିବେ ।

ତେଣୁ ରାହୁଲ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏହି ଦୁଇ ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା । ଏଥର ତ୍ରିକୋଣୀୟ ମୁକାବିଲା ହୋଇଛି । ସିପିଆଇର ନେତ୍ରୀ ଆନ୍ନି ରାଜା ଓ ବିଜେପିର କେ. ସୁରେନ୍ଦ୍ରନଙ୍କ ସହ କଡ୍ଡା ମୁକାବିଲା ହୋଇଛି । ଏଠାରେ ଅଳ୍ପସଂଖକ୍ୟଙ୍କ ଭୋଟ୍ ହାର ଅଧିକ ରହିଛି । ଆଉ ଅନେକ ଅଳ୍ପସଂଖକ୍ୟ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ତେଣୁ ଭୋଟ୍ ବିଭାଜନର ସମ୍ଭାବନା ରହିଛି । ଗତ ନିର୍ବାଚନ ଭଳି ଏଥର ବାଜି ମାରିବା ରାହୁଲଙ୍କ ପାଇଁ କଷ୍ଟ ହୋଇପାରେ । ତେଣୁ ରାହୁଲ ଗାନ୍ଧୀ ଏକ ସୁରକ୍ଷିତ ଆସନ ପାଇଁ ଚିନ୍ତା କରୁଥିବା କୁହାଯାଉଛି ।

ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଆସନ ରାଏବରେଲି ନଚେନ ନିଜର ପୂର୍ବ ଆସନ ଆମେଠିରୁ ପ୍ରାର୍ଥୀ ହୋଇପାରନ୍ତି ରାହୁଲ । ସେହିପରି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ୨୦୧୯ରେ ୫୫ ହଜାରରୁ ଅଧିକ ଭୋଟରେ ଆମେଠିରୁ ହାରିଥିଲେ ରାହୁଲ ଗାନ୍ଧୀ । ନିକଟରେ ଆମେଠିରେ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ପୋଷ୍ଟର ଲାଗିଥିଲା । ଏପରିକି ସେ ନିର୍ବାଚନ ଲଢିବାକୁ ଆଗ୍ରହ ଥିବା ଚର୍ଚ୍ଚା ହେଉଛି ।