କଟକରୁ କିଏ ହେବେ ବିଜେପି ଲୋକସଭା ପ୍ରାର୍ଥୀ, ଜାରି ରହିଛି ଦ୍ୱନ୍ଦ । ଚର୍ଚ୍ଚାରେ ଭର୍ତ୍ତୃହରି ମହତାବ ଓ ଅନୁଭବ ମହାନ୍ତିଙ୍କ ଭେଟଘାଟ

1,566

କନକ ବ୍ୟୁରୋ : କଟକ ସାଂସଦ ଭର୍ତୃହରି ମହତାବ । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ସମାନ ଦଳରୁ ସଂସଦକୁ ନିର୍ବାଚିତ ହୋଇଥିବାରୁ ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି । ପାର୍ଲାମେଂଟରୁ ଆରମ୍ଭ କରି ଦଳୀୟ କାର୍ଯ୍ୟାଳୟ ଯାଏଁ ଦୁହିଁଙ୍କ ଭିତରେ ବାରମ୍ବାର ଭେଟଘାଟ ହୋଇଥିବ । କିନ୍ତୁ ଏବେ ଯେତେବେଳେ ଭର୍ତୃହରି ବିଜେଡିରୁ ଇସ୍ତଫା ଦେଇଛନ୍ତି ଏବଂ ଅନୁଭବ ବିଜେଡିରେ ଏକପ୍ରକାର ଅଲୋଡା ହୋଇପଡିଛନ୍ତି, ଦୁହିଁଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୋଳପୂର୍ଣ୍ଣିମା ଅବସରରେ ହୋଲିର ଶୁଭେଚ୍ଛା ଜଣାଇ ଭର୍ତୃହରିଙ୍କ ଆଶୀର୍ବାଦ ନେଇଛନ୍ତି ଅନୁଭବ ।

ବିଜେଡି ଛାଡିବା ପରେ ଭର୍ତୃହରି କେଉଁ ରାଜନୈତିକ ଦଳକୁ ନିଜର ରାଜନୈତିକ ଭବିଷ୍ୟତ ଭାବେ ବାଛିବେ ତାର ଇସାରା ଦେଇସାରିଛନ୍ତି । ହୋଲି ଅବସରରେ ଗେରୁଆକୁ ଦେଶର ଏକ ମହତ୍ୱପୂର୍ଣ୍ଣ ରଙ୍ଗ ବୋଲି କହିବା ସହ ତା ପ୍ରତି ଶ୍ରଦ୍ଧା ରହିଲେ ଅଧିକ ଉନ୍ନତି ହେବ ବୋଲି କହିଛନ୍ତି ଭର୍ତୃହରି । ଭର୍ତୃହରି ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତାଙ୍କର ଗେରୁଆ ବ୍ୟାଖ୍ୟାନ ପରେ ଏହି ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି ।

ନବୀନ ନିବାସରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରକୁ ନେଇ ସମୀକ୍ଷା ବେଳେ ଅନୁପସ୍ଥିତ ଥିଲେ ଅନୁଭବ ମହାନ୍ତି । ପାରିବାରିକ ବିବାଦ ପରେ କେନ୍ଦ୍ରାପଡା ସାଂସଦ ବିଜେଡିରେ କୋଣଠେସା ହୋଇପଡିଥିବା ଚର୍ଚ୍ଚା ହେଉଛି । ବିଜେଡି ଓ ଅନୁଭବଙ୍କ ଦୂରତା ୨୦୨୪ରେ ତାଙ୍କ ଟିକେଟ କଟିବା ନେଇ ସଂକେତ ଦେଉଛି । ଆଉ ଏତିକିବେଳେ ସୋସିଆଲ ମିଡିଆ ଏକ୍ସରେ ‘ଜୟ ଶ୍ରୀରାମ’ ଲେଖିବା ଓ ଭର୍ତୃହରିଙ୍କୁ ଭୋଟି ଆଶୀର୍ବାଦ ନେବାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି ।

ଆଗାମୀ ନିର୍ବାଚନ ପାଇଁ ବିଜେପି ତାର ସାଂସଦ ପ୍ରାର୍ଥୀ ଘୋଷଣା କଲାବେଳେ କନ୍ଧମାଳ ଓ ଯାଜପୁର ସହ କଟକକୁ ବାଦ୍ ଦେଇଛି । ଆଶଙ୍କା କରାଯାଉଛି, କଟକ ଭଳି ହାଇପ୍ରୋଫାଇଲ ଆସନରୁ ଏକାଧିକ ଚେହେରାଙ୍କୁ ନେଇ ଦ୍ୱନ୍ଦ୍ୱରେ ଥାଇପାରେ ବିଜେପି । କିଛିଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଅରିନ୍ଦମ ରାୟ । ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଜେପିରେ ଯୋଗଦେବା ପରେ ତାଙ୍କୁ ବିଜେପିର କଟକ ଚେହେରା ବୋଲି ବିବେଚନା କରାଯାଉଥିଲା । ଏତିକିବେଳେ ଭର୍ତୃହରି ଓ ଅନୁଭବଙ୍କ ଭଳି ନେତାଙ୍କ ନାଁ ଯୋଡିହେବା ବିଜେପିକୁ ଅଧିକ ଦ୍ୱନ୍ଦ୍ୱରେ ପକାଇଥାଇପାରେ ।