ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ । ଆସିଲା ବିଜେଡିର ଆଉ ୩ ପ୍ରାର୍ଥୀ ତାଲିକା ।

607

କନକ ବ୍ୟୁରୋ: ଆଉ ୩ ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଦୀର୍ଘ ଦିନର ଚର୍ଚ୍ଚା ଆଲୋଚନା ପରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଆସୁଥିବା ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜୁ ଜନତା ଦଳ । ଭୋଗରାଇରୁ ଦଳ ଗୌତମ ବୁଦ୍ଧ ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଏବଂ ବେଗୁନିଆରୁ ପ୍ରଦୀପ ସାହୁଙ୍କୁ ଟିକେଟ୍ ଦେଇଛି ଦଳ । ଏଥିସହ ମୋଟ ୧୪୪ ଆସନରେ ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି ।

ତେବେ ଖୋର୍ଦ୍ଧା ଏବଂ ବେଗୁନିଆ ଆସନକୁ ନେଇ ବହୁ ଦିନରୁ ଛକାପଞ୍ଝା ଲାଗି ରହିଥିଲା । ଖାସ୍ କରି ଏହି ଦୁଇଟି ଆସନ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବାରୁ ଭାବି ଚିନ୍ତି ନିଷ୍ପତ୍ତି ନେଉଥିଲା ଦଳ । ତେବେ ଶେଷରେ ଦଳ ନିଜର ଘୋଷଣା କରିଛି । ଖୋର୍ଦ୍ଧାର ପୂର୍ବତନ ବିଧାୟକ, ଯିଏକି ବର୍ତ୍ତମାନ ବେଗୁନିଆରୁ ବିଧାୟକ ଥିଲେ ତାଙ୍କୁ ପୁଣିଥରେ ଖୋର୍ଦ୍ଧାକୁ ଫେରାଇ ନିଆଯାଇଛି । ରାଜେନ୍ଦ୍ର ସାହୁଙ୍କୁ ଜିତୁ ମିତ୍ରଙ୍କ ସ୍ଥାନରେ ପ୍ରାର୍ଥୀ କରିଛି ଦଳ ।

ସେହିପରି ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ଫେରିଯିବା ପରେ ବେଗୁନିଆ ଆସନରେ ପ୍ରଦୀପ ସାହୁଙ୍କୁ ଦଳ ଟିକେଟ୍ ଦେଇଛି । ପ୍ରଦୀପଙ୍କ ପାଖରେ ଭଲ ସଙ୍ଗଠନ ଥିବାରୁ, ତାଙ୍କ ନାଁକୁ ନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିଲା । ଆଉ ଶେଷରେ ତାଙ୍କ ନାଁରେ ଦଳ ମୋହର ମାରିଛି । ସେପଟେ ଭୋଗରାଇରେ ବିଧାୟକ ଅନନ୍ତ ଦାସଙ୍କ ଟିକେଟ୍ କାଟି ଦଳ ଗୌତମ ବୁଦ୍ଧ ଦାସଙ୍କୁ ଟିକେଟ୍ ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା କୋରେଇ, ଖଣ୍ଡପଡା ଏବଂ ନୀଳଗିରି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନି ।