ହ୍ୱାଟସଅପର ଧମକ, ଏନକ୍ରିପସନ ହଟାଇବାକୁ କହିଲେ ଛାଡି ଦେବୁ ଭାରତ , ସେପଟେ ଏନକ୍ରିପସନ ହଟାଇବାକୁ ଚାଲିଛି କୋର୍ଟରେ ମାମଲା ।

205

କନକବ୍ୟୁରୋ :ଦେଶର କୋଟି କୋଟି ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏଇଟା ଗୋଟିଏ ଖୁସି ଖବର ହୋଇନପାରେ । ଦେଶର ସୁରକ୍ଷା ପାଇଁ ବ୍ୟବହାରକାରୀଙ୍କ ପରିଚୟ ଜାଣିବା ନିୟମକୁ ବିରୋଧ କରି ହ୍ୱାଟସଆପ ପ୍ୟାରେଂଟ କମ୍ପାନୀ ମେଟା ଭାରତରେ ବ୍ୟବସାୟ ବନ୍ଦ କରିବାକୁ ଧମକ ଦେଇଛି । ଜାତୀୟ ସୁରକ୍ଷା ପାଇଁ ହ୍ୱାଟସ ଅପ ବ୍ୟବହାରକାରୀଙ୍କ ପରିଚୟ ଜାଣିବାକୁ କେନ୍ଦ୍ର ସରକାର ଓ ମେଟା ମଧ୍ୟରେ ଚାଲିଥିବା ନ୍ୟାୟିକ ଯୁଦ୍ଧ ଏବେ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି ।

ଆଇଟି ନିୟମ ୨୦୨୧ ଅନୁସାରେ ହ୍ୱାଟସଆପରୁ ଏଣ୍ଡ ଟୁ ଏଣ୍ଡ ଏନକ୍ରିପ୍ସନ ସିକ୍ୟୁରିଟି ବ୍ୟବସ୍ଥା ହଟାଇବକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଆବେଦନ କରାଯାଇଛି । ଏହା ଦ୍ୱାରା ଚାଟର ଯାଂଚ ଓ ପ୍ରକୃତରେ କିଏ ଚାଟ କରିଛି ତାହା ଜାଣିବାକୁ ସୁବିଧା ହେବ । କିନ୍ତୁ ଏହାକୁ ବିରୋଧ କରୁଛି କମ୍ପାନୀ । କମ୍ପାନୀ କହିଛି ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ବ୍ୟବହାରକାରୀଙ୍କ ଗୋପନୀୟତାକୁ ସୁରକ୍ଷା ଦେଇଥାଏ ।

ଯଦି ଏହାକୁ ହଟାଯିବ ତେବେ ନିଜ ସେବାକୁ ଭାରତରେ ବନ୍ଦ କରିବ । ଜାତୀୟ ସୁରକ୍ଷା, ଯୌନ ନିର୍ଯ୍ୟାତନା, ଶିଶୁ ଯୌନ ମାମଲା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବ୍ୟବହାରକାରୀଙ୍କ ପରିଚୟ ଜାଣିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି ।

ଏଥିପାଇଁ ଇନଫରମେସନ ଟେକ୍ନୋଲୋଜି ଆକ୍ଟ ୬୯ ଧାରା ଅନୁସାରେ ଜଣେ ଉପଯୁକ୍ତ ସରକାରୀ ଅଧିକାରୀ ସମ୍ପୃକ୍ତ ସଂସ୍ଥାକୁ ଉପରୋକ୍ତ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇପାରିବେ । ଯାହା ବିରୋଧରେ ମେଟା କୋର୍ଟର ଆଶ୍ରୟ ନେଇଥିଲା । ଦିଲ୍ଲୀ ହାଇକୋର୍ଟ ଶୁଣାଣୀରେ ମେଟା ପକ୍ଷରୁ କୁହାଯାଇଛି କି ଏଣ୍ଡ ଟୁ ଏଣ୍ଡ ଏନକ୍ରିପସନ ଆଧାରରେ ବ୍ୟବହାରକାରୀଙ୍କ ପରିଚୟ ଗୋପନ ରଖିବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ । ମାତ୍ର କେନ୍ଦ୍ର ସରକାର ଏଭଳି ଚାପରେ ନିୟମକୁ ବଦଳାଇପାରିବେ ନାହିଁ ।