ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବୃଦ୍ଧି ପାଉଛି ସଂକ୍ରମଣ : ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସୂଚନା

107

କନକ ବ୍ୟୁରୋ : କାହିଁକି ବଢୁଛି ସଂକ୍ରମଣ ସେନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ସେ କହିଛନ୍ତି, ଏକ୍ସବିବି.୧.୧୬ ପ୍ରଜାତି ପାଇଁ ବର୍ତମାନ ସଂକ୍ରମଣ ବୃଦ୍ଧି ପାଉଛି । ହେଲେ ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ । ଯେ ପର୍ଯ୍ୟନ୍ତ ଏହା ଅତି ଗୁରୁତର ଅସୁସ୍ଥତା କିମ୍ବା ମୃତ୍ୟୁର କାରଣ ନହୋଇଛି ସେ ପର୍ଯ୍ୟନ୍ତ କିଛି ଚିନ୍ତା ନାହିଁ ବୋଲି କହିଛନ୍ତି ରଣଦୀପ ଗୁଲେରିଆ । ସମୟକୁ ସମୟ ଭାଇରସର ରୂପାନ୍ତରଣ ହେଉଥିବାରୁ ନୂଆ ପ୍ରଜାତିର ସୃଷ୍ଟି ହେବ ବୋଲି ଗୁଲେରିଆ କହିଛନ୍ତି ।

ସେପଟେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂକ୍ରମଣ ମୁକାବିଲା ଦିଗରେ କେଉଁ ପଦକ୍ଷେପ ଗ୍ରହଣ ହୋଇଛି ସେନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ବୈଠକରେ ମୋଦୀ ଟେଷ୍ଟ-ଟ୍ରାକ୍-ଟ୍ରିଟ୍-ଭାକ୍ସିନେସନ୍-କୋଭିଡ୍ର ଉପଯୁକ୍ତ ବ୍ୟବହାର ଆଦି ୫ ସୂତ୍ରୀ ଯୋଜନାକୁ ଗୁରୁତ୍ୱ ଦେଇଥିଲେ । ନମୁନାର ଜିନୋମ୍ ସିକ୍ୱେନ୍ସିଂ ବଢାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ନୂଆ ଭାରିଆଣ୍ଟକୁ ଶୀଘ୍ର ଚିହ୍ନଟ କରାଯାଇପାରିବ ।

ଏହାକୁ ରୋକିବାକୁ ଆଗୁଆ ପଦକ୍ଷେପ ନିଆଯାଇ ପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସତର୍କତାର ସହ ସଂକ୍ରମଣକୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ ବୋଲି କହିଛନ୍ତି ମୋଦୀ । ଗତକାଲି ଦେଶରେ ୧୧୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ସହ ୫ ଜଣଙ୍କ କରୋନାରେ ମୃତ୍ୟୁ । ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ କେରଳରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।