‘ଜ୍ୱିଗାଟୋ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ଼ କଲେ ରାଜ୍ୟ ସରକାର : ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

296

କନକ ବ୍ୟୁରୋ : ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ପ୍ରଖ୍ୟାତ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନୟ କରିଛନ୍ତି ହାସ୍ୟା ଅଭିନେତା କପିଲ ଶର୍ମା । ଜଣେ ଫୁଡ ଡେଲିଭରି ରାଇଡର ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି । ହିନ୍ଦୀ ଭାଷାରେ ନିର୍ମିତ ଏହି ଫିଲ୍ମଟି ଭୁବନେଶ୍ୱରରେ ହିଁ ସୁଟିଂ କରାଯାଇଛି ।  ନବୀନ ନିବାସରେ ଏହି ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା ।

ଜଣେ ଫୁଡ୍‌ ଡେଲିଭରି ବ୍ୟକ୍ତି ଓ ତାଙ୍କ ପରିବାରର ସଂଘର୍ଷପୂର୍ଣ୍ଣ ଜୀବନକୁ ନେଇ ‘ଜ୍ୱିଗାଟୋ’ ଫିଲ୍ମ ନିର୍ମିତ ହୋଇଛି । ବିଶିଷ୍ଟ ଅଭିନେତା କପିଲ ଶର୍ମା ଓ ଅଭିନେତ୍ରୀ ସାହାନା ଗୋସ୍ବାମୀ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ସମାଜର ଅତ୍ୟନ୍ତ ସାଧାରଣ ଲୋକଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଏହି ଚଳଚ୍ଚିତ୍ରରେ ସଫଳ ଭାବରେ ଉପସ୍ଥାପିତ କରାଯିବା ସହ କଳାତ୍ମକ ଦିଗ ପ୍ରତି ଧ୍ୟାନ ଦିଆ ଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ଚଳଚ୍ଚିତ୍ରର ଉଚ୍ଚପ୍ରଶଂସା କରିଥିଲେ । ସାମାଜିକ ପରିବର୍ତ୍ତନ ଦିଗରେ ଜ୍ବିଗାଟୋ ଏକ ସକାରାତ୍ମକ ବାର୍ତ୍ତା ଦେବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏଥିସହ ଓଡ଼ିଶାରେ ଅଧିକରୁ ଅଧିକ ବ୍ୟବସାୟିକ ଚଳଚ୍ଚିତ୍ର ସୁଟିଂ କରାଯାଇ ପାରିବ ସେଥିପାଇଁ ରାଜ୍ୟ ସରକାର ଅନୁକୂଳ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ଦିଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ଉତ୍ସାହିତ କରୁଛନ୍ତି । ଏହାଦ୍ୱାରା ରାଜ୍ୟର ପର୍ଯ୍ୟଟନ ବିକାଶ ହେବା ସହିତ ପ୍ରତିଭାବାନ ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।