କେବେ ଖୋଲାହେବ ରତ୍ନଭଣ୍ଡାର? ଯାଞ୍ଚପାଇଁ ଏଏସ୍ଆଇ ଚିଠି ଲେଖିବା ପରେ ଉଠିଲା ପ୍ରଶ୍ନ

66

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଅସୁରକ୍ଷିତ ହୋଇପଡ଼ିଛି, ଏହାର ଯାଞ୍ଚପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଛି ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା ବା ଏଏସଆଇ । ବିପଦପୂର୍ଣ୍ଣ ଅବସ୍ଥାରେ ଭିତର ରତ୍ନଭଣ୍ଡାର ଥିବାରୁ ଖୋଲିବା ପାଇଁ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପୂର୍ବରୁ ବାହାର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରାଯାଇଥିବାରୁ ଏବେ ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ କହିଛି ଏଏସଆଇ । ଏ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାପଡିଛି ।

ରତ୍ନଭଣ୍ଡାର ଛାତ ଖରାପ ଥିବା ଚୂନଖଣ୍ଡ ତଳେ ପଡ଼ିଥିବା ଦର୍ଶାଇଛି ଏଏସ୍ଆଇ
ଭିତର ଆଦ୍ରତା ଓ ସନ୍ତସନ୍ତିଆ ଯୋଗୁଁ ଦୁର୍ବଳ ସ୍ଥିତିରେ ରହିଛି ରତ୍ନଭଣ୍ଡାର
ଗତ ୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି
ଏକ ନକଲ ଆଇନ ବିଭାଗକୁ ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସବୁବେଳେ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଯୋଡି ହୋଇ ରହିଛି । ପୂର୍ବରୁ ଭିତର ରତ୍ନଭଣ୍ଡାର ଖୋଲି ସ୍ଥିତି ଅନୁଧ୍ୟାନ କରିବାକୁ ଉଦ୍ୟମ ହୋଇଥିଲେ ବି ତାହା ସଫଳ ହୋଇନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ରେ ଏକ ୧୭ ଜଣିଆ ଟିମ୍ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭିତର ରତ୍ନଭଣ୍ଡାରକୁ ଖୋଲିନପାରି ଫେରିଆସିଥିଲେ । ସେହି ସମୟରେ ଚାବି ହଜିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗକୁ ନେଇ ତମ୍ବିତୋଫାନ ହୋଇଛି, କମିସନ ବସିଛିି । ହେଲେ ବିଶେଷ କିଛି ଫଳ ମିଳିନାହିଁ । ବିରୋଧୀଙ୍କ ଅଭିଯୋଗ ରତ୍ନଭଣ୍ଡାର ଖୋଲିବାକୁ ଆଗ୍ରହ ଦେଖାଉନାହାନ୍ତି ରାଜ୍ୟ ସରକାର ।୧୯୭୮ ମସିହାରେ ଶେଷଥର ପାଇଁ ଖୋଲା ଯାଇଥିଲା ରତ୍ନଭଣ୍ଡାର । ଏହାପରେ ଖୋଲାଯାଇନାହିଁ ରତ୍ନଭଣ୍ଡାର । ମରାମତି ହୋଇନି କି ଅଳଙ୍କାରର ମେଳ କରାଯାଇନାହିଁ । ଫଳରେ ଭିତର ରତ୍ନଭଣ୍ଡାରର ସୁରକ୍ଷା ଓ ଠାକୁରଙ୍କ ସୁନା ଅଳଙ୍କାରକୁ ନେଇ କୋଟି କୋଟି ଓଡିଆଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ଏପଟେ ଶ୍ରୀମନ୍ଦିର ପ୍ରଶାସନର ଜବାବ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତ୍ନତତ୍ତ୍୍ୱ ବିଭାଗ ପକ୍ଷରୁ ସୂଚନା ମିଳିଛି ।