ଆମେଠୀ ଓ ରାୟବରେଲୀରୁ ପ୍ରାର୍ଥୀ ହେବେ କି ରାହୁଲ ଓ ପ୍ରିୟଙ୍କା? ସେ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ,ଖୁବଶୀଘ୍ର ହୋଇପାରେ ନାଁ ଘୋଷଣା ।

155

କନକବ୍ୟୁରୋ : ଉତରପ୍ରଦେଶର ହାଇପ୍ରୋଫାଇଲ ସଂସଦୀୟ କ୍ଷେତ୍ର ହେଉଛି ଆମେଠୀ ଓ ରାୟବରେଲୀ । ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ଆସନ କଂଗ୍ରେସ ତଥା ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବେ ପରିଚିତ । ତେବେ ଚଳିତ ନିର୍ବାଚନ ପାଇଁ ବର୍ତମାନ ପର୍ଯ୍ୟନ୍ତ ଏହି ୨ଟି ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ । ପୂର୍ବ ନିର୍ବାଚନରେ ଆମେଠୀ ଆସନରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାଜୟ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ଲୋକସଭାକୁ ଯାଇଥିଲେ । ଏଥର ମଧ୍ୟ ରାହୁଲ ୱାୟନାଡରୁ ଲଢୁଥିବା ବେଳେ ଏଠାରେ ପରାଜିତ ହେବାର ଆଶଙ୍କା ରହିଛି ।

ତେଣୁ ପୂର୍ବଥର ଭଳି ଏଥର ମଧ୍ୟ ରାହୁଲ ଦ୍ୱିତୀୟ ଆସନ ଭାବେ ଆମେଠୀରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ରାୟବରେଲୀ ଆସନରୁ ପ୍ରିୟଙ୍କା ଗାନ୍ଧୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ଦୁଇଟି ଆସନରେ ପ୍ରାର୍ଥୀ ଘୋଷଣା ପାଇଁ ଶନିବାର ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସିଇସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସଲମାନ ଖୁର୍ସିଦ, କେସି ବେଣୁଗୋପାଳ, ସୋନିଆ ଗାନ୍ଧୀ ପ୍ରମୁଖ ଏହି ବୈଠକରେ ସାମିଲ ହୋଇଥିଲେ । ଏହି ଦୁଇଟି ପ୍ରମୁଖ ଆସନ ପାଇଁ ରାହୁଲ ଓ ପ୍ରିୟଙ୍କାଙ୍କ ନାମ ସୁପାରିଶ କରାଯାଇଥିବା ବେଳେ ହାଇକମାଣ୍ଡ ଏହା ଉପରେ ନିଷ୍ପତି ନେବେ ବୋଲି ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଦଳ ଏହି ୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି ।