ଅସହ୍ୟ ହେଲାଣି ତାତି । ଦୁଇ ଦିନରେ ପାରଦ ୪୬ ଡିଗ୍ରୀ ଛୁଇଁବା ସମ୍ଭାବନା । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଟ୍ୱିନସିଟି ସମେତ ୧୩ଟି ସହର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ।

304

କନକବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ଉଗ୍ର ହେବାରେ ଲାଗିଛି । ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ସୂର୍ଯ୍ୟୋଦୟରୁ ତାତିର ପ୍ରଭାବ ଆରମ୍ଭ ହେଉଥିବା ବେଳେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ତାତି ଅସହ୍ୟ ହେଉଥିବା ବେଳେ ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭବ ହେଉଛି । ଚଳିତ ବର୍ଷ ଏପ୍ରିଲ ମାସରେ ତାତି ରେକର୍ଡ ଭାଙ୍ଗିଥିବା ବେଳେ ମେ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ଗତ ୨୪ ଘଂଟାରେ ଟ୍ୱିନ ସିଟି କଟକ ଭୁବନେଶ୍ୱର ସମେତ ରାଜ୍ୟର ୩୩ ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୧୪ଟି ସହରର ତାପମାତ୍ରା । ଆଗାମୀ ୨ରୁ ୩ଦିନ ମଧ୍ୟରେ ତାପାମାତ୍ରାରେ ଆହୁରି ବୃଦ୍ଧି ଘଟିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି ।

ଏଭଳି ହେଲେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କେତେକ ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀ ମଧ୍ୟ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଉଛି । ଭୀଷଣ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଥିବାରୁ ଭୁବନେଶ୍ୱର ଓ କଟକ ସହର ସମେତ ୧୩ଟି ସହର ପାଇଁ ରେଡ୍ ଏବଂ ୧୫ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।