ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଜବାବ ଦାଖଲ । ବିଜେପି ସହ ସାକ୍ଷୀ, ପ୍ରମାଣଙ୍କ ସମ୍ବନ୍ଧ ଥିବା ଅଭିଯୋଗ

894

କନକ ବ୍ୟୁରୋ : ଇଡିର ଅଭିଯୋଗ ଉପରେ ଜବାବ ରଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ଇଡି ଯେଉଁ ସବୁ ଅଭିଯୋଗ ତାଙ୍କ ଉପରେ ଆଣିଛି ଓ ପ୍ରମାଣ ରଖିଛି ସେମାନଙ୍କ ବିଜେପି ସହ କନେକ୍ସନ ଥିବା ଆଜି କୋର୍ଟରେ କହିଛନ୍ତି କେଜ୍ରିୱାଲ । ମଙ୍ଗୁତା ଶ୍ରୀନିବାସ ରେଡ୍ଡୀ, ଶରଥ ରେଡ୍ଡୀ. ସତ୍ୟ ବିଜୟଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଏହି ସମସ୍ତେ ସିଧାସଳଖ ବିଜେପି ସହ ସମ୍ପୃକ୍ତ ଓ ବିଜେପିର ନିର୍ଦ୍ଦେଶରେ ମିଛ ବୟାନ ଦେଇଥିବା କହିଛନ୍ତି କେଜ୍ରିୱାଲ । ଇଡିର ଗିରଫଦାରୀ ଓ ରିମାଣ୍ଡ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟ ଉଭୟ ପକ୍ଷଙ୍କ ଶୁଣାଣୀ କରି ଇଡିକୁ ୨୪ ତାରିଖ ସୁଦ୍ଧା ଓ କେଜ୍ରିୱାଲଙ୍କୁ ୨୭ ତାରିଖ ସୁଦ୍ଧା ଜବାବ ଦେବାକୁ କହିଥିଲେ । ପୂର୍ବରୁ ଜବାବ ରଖି ଇଡି କହିଥିଲା ଯେ କେଜ୍ରିୱାଲଙ୍କ ସତ୍ୟପାଠରେ କୌଣସି ସତ୍ୟତା ନାହିଁ । ଜେରାରେ ସହଯୋଗ ନକରିବାରୁ ତାଙ୍କୁ ଗିରଫ କରାଯାଇଛି । ମଦ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଠୋସ ପ୍ର୍ରମାଣ ରହିଛି । ସେପଟେ କେଜ୍ରୀୱାଲଙ୍କ ସପକ୍ଷରେ ଦିଲ୍ଲୀରେ ଆଜି ଜୋରଦାର ବିକ୍ଷୋଭ କରିଛି ଆମ ଆଦମୀ ପାର୍ଟି ।