ଭୁଲରେ କିଣିଥିଲା ଦଳ, ମ୍ୟାଚ୍ ଜିତାଇ ହିରୋ ପାଲଟିଲେ ଶଶାଙ୍କ ସିଂ । ଶଶାଙ୍କ ପ୍ରଦର୍ଶନ ପରେ ପଞ୍ଜାବ କିଙ୍ଗସକୁ ପ୍ରଶଂସକଙ୍କ ସମାଲୋଚନା

910

କନକ ବ୍ୟୁରୋ : ଆପଣଙ୍କୁ ଶୁଣିଲେ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ । ଶୁକ୍ରବାର ଆଇପିଏଲରେ କେକେଆର ବିପକ୍ଷରେ ୨୬୨ ରନର ଲକ୍ଷ୍ୟକୁ ହାସଲ କରି ଐତିହାସିକ ବିଜୟ ପାଇଥିଲା ପଞ୍ଜାବ କିଙ୍ଗ୍୍ସ । ଆଉ ଦମଦାର ପଦର୍ଶନ କରି ମ୍ୟାଚ ଜିତାଇଥିଲେ ୩୨ ବର୍ଷିୟ ଖେଳାଳୀ ଶଶାଙ୍କ ସିଂ । ମାତ୍ର ୨୮ ବଲରୁ ୮ ଛକା, ୨ ଚୌକା ସହ ୬୮ କରି ଅପରାଜିତ ରହି ମ୍ୟାଚ୍ ଜିତାଇଥିଲେ ଶଶାଙ୍କ । ଦଳ ପକ୍ଷରୁ ଜନ ବେୟାରଷ୍ଟ୍ରୋଙ୍କ ଦମଦାର ଶତକ ପରେ ଶଶାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦୁଇ ବଲ ବାକି ଥାଇ ମ୍ୟାଚ ଜିତିନେଇଥିଲା ଦଳ । ଶଶାଙ୍କ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ମ୍ୟାଚ ଜିତାଇବା ପରେ କ୍ରିକେଟ ପ୍ରେମୀମାନେ ଇଂଟରନେଟ୍ରେ ପଞ୍ଜାବ କିଙ୍ଗସ୍ଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି ।

୨୦୨୪ ଆଇପିଏଲ ପାଇଁ ଦୁବାଇରେ ହୋଇଥିବା ନିଲାମୀରେ ୧୯ ବର୍ଷିୟ ଶଶାଙ୍କ ସିଂଙ୍କୁ ଆଣିବାକୁ ଚାହୁଁଥିଲା ପଞ୍ଜାବ କିଙ୍ଗସ୍ । କିନ୍ତୁ ୧୯ ବର୍ଷିୟ ବଦଳରେ ଛତିଶଗଡ଼ର ଅଲରାଉଣ୍ଡର ୩୨ ବର୍ଷିୟ ଶଶାଙ୍କ ସିଂଙ୍କୁ ୨୦ ଲକ୍ଷ ଟଙ୍କାର ଭୁଲରେ କିଣିଦେଇଥିଲା ଦଳ । ଏହା ଜଣାପଡିବା ପରେ ପଞ୍ଜାବ କିଙ୍ଗସର ମାଲିକାଣି ପ୍ରିତି ଜିଂଟା ଶଶାଙ୍କ ସିଂଙ୍କୁ ଟିମରେ ନେବାକୁ ଚାହୁଁନଥିଲେ । ଶଶାଙ୍କଙ୍କୁ ଫେରାଇ ନେବାକୁ ଅପିଲ ମଧ୍ୟ କରିଥିଲା ପଞ୍ଜାବ କିଙ୍ଗସ୍ କିନ୍ତୁ ବିିସିସିଆଇ ମନା କରିଥିଲା । ଫଳରେ ବାଧ୍ୟରେ ଟିମରେ ଶଶାଙ୍କଙ୍କୁ ସାମିଲ କରିଥିଲ ପଞ୍ଜାବ । ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୨୯ ବଲରୁ ୬୧ ରନ କରି ଚର୍ଚ୍ଚାକୁ ଆସିଥିଲେ ଅଫ ସ୍ପିନର ବ୍ୟାଟର ଶଶାଙ୍କ । ପରେ ଆରସିବି ବିପକ୍ଷରେ ୮ ବଲରୁ ୨୧ ରନ କରିଥିଲେ ଶଶାଙ୍କ । ଶୁକ୍ରବାର କେକେଆର ବିପକ୍ଷରେ ଧୁଆଁଧାର ଇନିସ୍ ଖେଳି ପଞ୍ଜାବକୁ ଜିତାଇଥିଲେ ଶଶାଙ୍କ ।

ଶଶାଙ୍କ ସିଂ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ ଡେୟାର ଭେଡିଲ୍ସ ପକ୍ଷରୁ ଖେଳିଥିଲେ ମଧ୍ୟ ତାଙ୍କର ପଦର୍ଶନ ଏତେ ଭଲ ନଥିଲା । କିନ୍ତୁ ଏଥର ଭୁଲରେ କିଣିଥିବା ଦଳ ପଞ୍ଜାବ କିଙ୍ଗସ୍ ପାଇଁ ମ୍ୟାଚ ବିଜୟୀ ଇନିସ୍ ଖେଳି ନିଜକୁ ସଠିକ୍ ସାବ୍ୟସ୍ଥ କରିଛନ୍ତି ଶଶାଙ୍କ ।