ଶେଷ ପର୍ଯ୍ୟାୟରେ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା , ବାକି ଥିବା ଆସନରେ କିଏ ହେବେ ପ୍ରାର୍ଥୀ ସେ ନେଇ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ।

220

କନକବ୍ୟୁରୋ : ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ବିଜେଡି ସର୍ବାଧିକ ୧୪୪ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଯଥାକ୍ରମେ ୧୪୧ ଓ ୧୩୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏବେ ବି ଦଳ ଡିଆଁ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବାକି ଥିବା ଆସନ ଗୁଡିକରେ ପ୍ରତିପକ୍ଷଙ୍କୁ ଚେକ୍ ଦେବାକୁ ଛକି ବସିଛନ୍ତି ୩ ରାଜନୈତିକ ଦଳ ।

ବିଜେଡି ୮ଟି ପର୍ଯ୍ୟାୟରେ ମୋଟ ୧୪୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ କୋରେଇ ନୀଳଗିରି, ଖଣ୍ଡପଡା ଭଳି ୩ଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ଏହି ୩ଟି ଆସନରେ ଏକାଧିକ ଆଶାୟୀ ରହିଥିବା କାରଣରୁ ପ୍ରାର୍ଥୀ ଘୋଷଣାକୁ ଝୁଲାଇ ରଖାଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ବିଜେପି ମଧ୍ୟ ନିଜର ବାକି ଥିବା ୭ଟି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।

ନୀଳଗିରି, ଘସିପୁରା, ଭୋଗରାଇ, ବାରବାଟୀ-କଟକ, ଭଣ୍ଡାରୀପୋଖରୀ, ବରୀ ଓ ବେଗୁନିଆ ଭଳି ଆସନ ଗୁଡିକ ଉପରେ କିଏ ବିଜେପିର ପ୍ରାର୍ଥୀ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ଏସବୁ ଆସନରୁ ବିଜେପି ପୁରୁଣା କାର୍ଯ୍ୟକର୍ତା ନାଁ ଅନ୍ୟ ଦଳରୁ ସାମିଲ ହୋଇଥିବା ଆମଦାନୀ ନେତାଙ୍କୁ ପ୍ରାର୍ଥୀ କରିବ ତା ଉପରେ ନଜର ରହିଛି । ସେପଟେ କଂଗ୍ରେସକୁ ନିଜର ଆହୁରି ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଅଛି । ଏସବୁ ଆସନ ଗୁଡିକ ହେଉଛି ବାରବାଟି-କଟକ, ଜଗତସିଂହପୁର, କାକଟପୁର, ନୀଳଗିରି, ବାଲେଶ୍ୱର, ଜଳେଶ୍ୱର, ପାଲଲହଡା ଓ ବଡ଼ଚଣା । ବାକି ରହିଥିବା ଏହି ଆସନ ଗୁଡିକରେ କେବେ ପ୍ରାର୍ଥୀ ଘୋଷଣା ହେଉଛି ତା ଉପରେ ନଜର ରହିଛି ।