ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ । ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ହୀରାକୁଦରେ ଖୋଲିଲା ୨୦ ଗେଟ୍, ଘନେଇଲା ବନ୍ୟା ଆଶଙ୍କା ।

270

କନକ ବ୍ୟୁରୋ: ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାରି ଭିତରେ କିନ୍ତୁ ଲଗାଣ ବର୍ଷାରେ ଜଳକା ଏବଂ ବୈତରଣୀ ନଦୀ ଫୁଲୁଛି । ବିଭିନ୍ନ ସ୍ଥାନରେ ଏବେ ବନ୍ୟା ଆଶଙ୍କା ଦେଖାଦେଇଛି । ୧୪ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସତର୍କ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ହୀରାକୁଦରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ମହାନଦୀରେ ଜଳସ୍ତର ବିପଦ ସଙ୍କେତ ପାଖାପାଖି ଦେଇ ପ୍ରବାହିତ ହେଉଥିବାରୁ ହୀରାକୁଦ ପାଣି ପହଂଚିବା ପରେ ତଳିଆ ଅଂଚଳ ଜଳମଗ୍ନ ହେବା ଆଶଙ୍କା ବଢିଯାଇଛି ।

ଲଗାଣ ବର୍ଷା କମି ନଥିବାବେଳେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୨୪ଘଂଟା ଭିତରେ ଆଉ ଏକ ଲଘୁଚାପର ରୂପ ନେବାକୁ ଯାଉଛି । ପରବର୍ତି ୨୪ଘଂଟାରେ ଏହା ଆହୁରି ଘନୀଭୂତ ହେବ ଓ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ ଚିନ୍ତା ବଢ଼ାଇ ଦେଇଛି ।

ଲଘୁଚାପ ପ୍ରଭାବରେ କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥିତିକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୧୩, ୧୪ ଓ ୧୫ ତାରିଖ ପାଇଁ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ ତାରିଖ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକ ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ ତାରିଖ ପାଇଁ ମାଲକାନଗିରି, କୋରାପୁଟ, ରାୟଗଡା, ନବରଂଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଅନୁଗୁଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁଁ ପାହାଡିଆ ଅଂଚଳରେ ଭୁସ୍ଖଳନ ହେବାର ଓ ମାଟି ଅତଡା ଧସିସବାର ମଧ୍ୟ ଆଶଙ୍କା ରହିଛି ।

ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରକୁ ଅଧିକ ଜଳ ପ୍ରବେଶ କରୁଛି । ସ୍ଥିତିକୁ ଦେଖି ଡ୍ୟାମ କର୍ତୁପକ୍ଷ ୨୦ଟି ଗେଟ୍ ଦେଇ ପାଣି ଛାଡୁଛନ୍ତି । ଆବଶ୍ୟକ ପଡିଲେ ଆହୁରି ଗେଟ୍ ଖୋଲାଯିବାର ମଧ୍ୟ ସମ୍ଭାବନା ରହିଛି । ହୀରାକୁଦରେ ଅଧିକ ଗେଟ ଖୋଲିବା ପରେ ମହାନଦୀର  ଜଳସ୍ତର ବଢ଼ିବାରେ ଲାଗିଛି । କଟକ ନରାଜ ନିକଟରେ ମହାନଦୀର ଜଳସ୍ତର ବିପଦ ସଂକେତ ଛୁଇନଥିଲେ ବି ବିପଦ ସଂକେତ ପାଖାପାଖି ଦେଇ ପ୍ରବାହିତ ହେଉଛି । ନରାଜରେ ବିପଦ ସଂକେତ ୨୬ଦଶମିକ ୪୧ମିଟର ଥିବାବେଳେ ଏବେ ୨୪ ଦଶମିକ ୭୦ ମିଟର ଉପରେ ପ୍ରବାହିତ ହେଉଛି । ଆଉ ହୀରାକୁଦରୁ ଛଡା ଯାଇଥିବା ପାଣି ପହଁଚିଲେ ଆଗକୁ ଆହୁରି ବଢ଼ିବ । ମହାନଦୀର ଜଳସ୍ତର ବଢ଼ିବା ଫଳରେ ଏହାର ଶାଖା ନଦୀ ଗୁଡିକ ମଧ୍ୟ ଫୁଲିବାରେ ଲାଗିଛି । ..

-ବୈତରଣୀରେ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ଆଖୁଆପଦା ନିକଟରେ ଜଳସ୍ତର ବିପଦ ସଂକେତ ପାଖରେ ପ୍ରବାହିତ ହେଉଛି ।

-ଜଳକା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ ନିକଟରେ ବିପଦ ସଂକେତ ୫ଦଶମିକ ୫୦ ମିଟର ଥିବାବେଳେ ଏବେ ୬ ଦଶମିକ ୨୯ ମିଟିର ଉପରେ ପ୍ରବାହିତ ହେଉଛି । ଲଘୁଚାପ ପ୍ରଭାବରେ ଆଗକୁ ବର୍ଷା ହେଲେ ନଦୀର ଜଳସ୍ତର ଆହୁରି ବଢ଼ିପାରେ । ଯାହା ନଦୀ କୁଳିଆ ଲୋକଙ୍କ ଚିନ୍ତାରେ ପକାଇ ଦେଇଛି ।  ତେବେ ମୋଟାମୋଟି ଭାବରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଫ୍ଲଡ ସେଲର ମୁଖ୍ୟଯନ୍ତ୍ରୀ । ପୂର୍ଣ୍ଣିମା ଚାଲିଯାଇଥିବାରୁ ସମୁଦ୍ର ଜୁଆରିଆ ନାହିଁ । ତେଣୁ ବଡ ବନ୍ୟା ହେବାର ଆଶଙ୍କା କମ୍ ରହିଛି ।