ଚନ୍ଦ୍ରଶେଖରପୁରର ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାର ଆସିଲା ରାୟ , ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଦୌରାଜଜ । ୨୦୨୨ ଏପ୍ରିଲ ମାସରେ ସ୍ତ୍ରୀ ଓ ଶାଳିଙ୍କୁ ନୃଂଶସ ଭାବେ କରିଥିଲା ହତ୍ୟା ।

104

କନକବ୍ୟୁରୋ : ୨୦୨୨ ମସିହାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ବହୁଚର୍ଚ୍ଚିତ ଡବଲ ମର୍ଡର ଘଟଣାର ଆସିଲା ରାୟ । ଭୁବନେଶ୍ୱର ଦୌରାଜଜ ଦୋଷୀ ବିଜୟ ସେଠୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ୨୦୨୨ ଏପ୍ରିଲ ମାସରେ ଏହି ଡବଲ ମର୍ଡର ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଦେଇଥିଲା । ବିଜୟ ସେଠୀ ନିଜ ସ୍ତ୍ରୀ ଓ ଶାଳିଙ୍କୁ ନୃଂଶସ ଭାବେ ହତ୍ୟା କରି ୩ ଦିନ ଧରି ଘରେ ଲୁଚାଇ ରଖିଥିଲା ।

ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀ ଗାୟତ୍ରୀ ଓ ଶାଳି ସରସ୍ୱତୀଙ୍କ ମୁଣ୍ଡକୁ ହାଣି ହତ୍ୟା କରିଥିଲା ବିଜୟ ସେଠୀ । ସରସ୍ୱତୀ ଏକ ଘରୋଇ ହସପିଟାଲରେ ନର୍ସ ଭାବେ କାମ କରୁଥିଲେ । ଦୀର୍ଘ ଦିନ ଧରି ସନ୍ତାନ ନ ହେବାରୁ ସ୍ତ୍ରୀ ଓ ଶାଳି ନିର୍ଯାତନା ଦେଉଥିବା ହତ୍ୟା କରିଥିବା ବିଜୟ ଏକ ଚିଠିରେ ଲେଖିଥିଲା । ହତ୍ୟାକାଣ୍ଡର ପ୍ଲଟ ଏଭଳି ତିଆରି କରାଯାଇଥିଲା ଯାହାର ଆଭାସ ଆଖପାଖ ଓ ସାହିପଡିଶା ବି ପାଇପାରିନଥିଲେ । ତିନି ଦିନ ଧରି ଦୁଇ ଝିଅଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ପରିବାର ଲୋକେ ବିଜୟକୁ ଫୋନ୍ କରିଥିଲେ ।

ଆଉ ସେତିକି ବେଳେ ମୃତଦେହକୁ ନଷ୍ଟ କରିବା କଥା ବିଜୟ ମୁଣ୍ଡକୁ ଜୁଟିଥିଲା । ଆଉ ସେହି ଉଦ୍ଦେଶ୍ୟରେ ବିଜୟ ଏକ ସ୍କୁଟିରେ ଚମ୍ପଟ ମାରୁଥିବାବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରିଥିଲେ ପରିବାର ଲୋକେ । ଏ ନେଇ ସେମାନେ ପୁଲିସରେ ଅଭିଯୋଗ କରିଥିଲେ । ମାମଲାର ବିଚାର କରି ରାୟ ଶୁଣାଇଛନ୍ତି କୋର୍ଟ । ଜୋରିମାନା ଦେଇ ନ ପାରିଲେ ଆଉ ବର୍ଷେ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।