ସନ୍ଦେଶଖାଲି ସିବିଆଇ ଚଢ଼ାଉକୁ ଟିଏମସିର ବିରୋଧ । ଇସିଙ୍କ ନିକଟରେ ଫେରାଦ, ବିଜେପିର ଅଭିଯୋଗ ଦଳ କରୁଛି ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ

262

କନକ ବ୍ୟୁରୋ : ଶୁକ୍ରବାର ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ସିବିଆଇ ଚଢ଼ାଉକୁ ବିରୋଧ କରି ନିର୍ବାଚନ କମିଶନଙ୍କ ନିକଟରେ ପହଁଚିଛି ତୃଣମୂଳ କଂଗ୍ରେସ । ନିର୍ବାଚନରେ ବିଭ୍ରାଟ କରିବାକୁ ଷଡଯନ୍ତ୍ର କରାଯାଉଛି, ଜାଣିଶୁଣି ଟିଏମସି ନେତାକର୍ମୀଙ୍କୁ ହଇରାଣ କରାଯାଉଛି , ବିଜେପି ଇସାରାରେ ଚଢ଼ାଉ କରାଯାଉଥିବା ଅଭିଯୋଗ ଆଣି ଇସିଙ୍କ ନିକଟରେ ଫେରାଦ ହୋଇଛି ଟିଏମସି । ରାଜ୍ୟ ପୁଲିସକୁ ବିନା ସୂଚନା ଦେଇ କିଭଳି ଚଢ଼ାଉ କରାଗଲା ବୋଲି ଟିଏମସି ପ୍ରଶ୍ନ କରିଛି ।

ଶୁକ୍ରବାର ସନ୍ଦେଶଖାଲିରେ ସିବିଆଇ ଚଢ଼ାଉ କରିଥିଲା । ଏନଏସଜି ଗ୍ରୁପ ମଧ୍ୟ ଚଢ଼ାଉରେ ସାମିଲ ହେବା ସହ ଘଟଣାସ୍ଥଳରୁ ଦେଶୀବିଦେଶୀ ବିପୁଳ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଜବତ ହୋଇଛି । ବିଜେପି ପ୍ରଶ୍ନ କରିଛି ଯେ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କୁ ପ୍ରବେଶ କରାଉଛି ଟିଏମସି, ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ କରୁଛି । ତେଣୁ ଟିଏମସିକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଉ ।

ଟିଏମସି ନେତା ଶେଖ ଶାହାଜାହାଁ ଏବେ ପୁଲିସ ଗିରଫରେ । ଯୌନ ନିଯ୍ୟାତନା, ତସ୍କରୀ ମାମଲାରେ ଶେଖ ଜାହାଁ ଏବେ ଜେଲରେ । ସେପଟେ ସନ୍ଦେଶଖାଲିରେ ଚଢ଼ାଉ କରି ଶାହାଜାହାଁ ଓ ତା ସର୍ମ୍ପକୀୟଙ୍କ ଠିକଣାରୁ ହତିଆର, ଗୋଳାବାରୁଦ ଜବତ ଏବେ ମମତାଙ୍କ ପାଇଁ ନୂଆ ସମସ୍ୟା ନେଇ ଆସିଛି । ନିର୍ବାଚନ ମାହୋଲରେ ଟିଏମସିକୁ ଚାରିଆଡୁ ଘେରିବାକୁ ବିଜେପିକୁ ମୌକା ମିଳିଛି ।

ଶେଖ ଜାହାଁ ବିରୋଧରେ ଅଭିଯୋଗ ଆସିବା ପରେ ଗୋଟେ ପରେ ଗୋଟେ ମାମଲା ରୁଜୁ ହୋଇଥିଲା । ପରେ କଲିକତା ହାଇକୋର୍ଟ ସିବିଆଇ ହାତକୁ ମାମଲା ହସ୍ତାନ୍ତର କରିଥିଲେ । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ ଦେଇଛି ଟିଏମସି । ଶାହାଜାହାଁର ଗିରଫକୁ ନେଇ ବିଜେପି ଓ ଟିଏମସି ବର୍ତମାନ ମୁହାଁମୁହିଁ ସ୍ଥିତିରେ ।