ଆଜି ଆସୁଛନ୍ତି କଂଗ୍ରେସ ଓ ବିଜେପିର ଦୁଇ ହେଭିୱେଟ୍ ନେତା..ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର ।

80

କନକବ୍ୟୁରୋ : ନିର୍ବାଚନୀ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅପରାହ୍ନରେ ବ୍ରହ୍ମପୁରରେ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ମୁଖିଆ । ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ଯିବେ ନଡ୍ଡା । ସାଢେ ୫ଟାରେ ଆମ୍ବପୁଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ବିଧାୟକ ଓ ସାଂସଦ ମାନଙ୍କ ପାଇଁ ପ୍ରଚାର କରିବେ । ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତା ମାନଙ୍କୁ ନେଇ ନଡ୍ଡା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର, କୋରାପୁଟରୁ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସହିତ ଜିଲ୍ଲା ସଭାପତି ଓ ଅନ୍ୟ ପଦାଧିକାରୀ ମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁରରେ ରାତ୍ରି ରହଣୀ ସହ ସୋମବାର ସକାଳେ ନଡ୍ଡା ଭୁବନେଶ୍ୱର ଆସି ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନ ପ୍ରଚାର କରିବାକୁ ଦିନିକିଆ ଗସ୍ତରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କଟକ ସାଲେପୁର କୂଳିଆ ପଡିଆରେ ଆୟୋଜିତ ନ୍ୟାୟ ସମାବେଶରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବେ ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ରାଜ୍ୟ କଂଗ୍ରେସ ନେତା ମାନେ କହିଛନ୍ତି । ଦିନ ୧୧ଟା ୩୦ରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚି ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରି ରାହୁଲ ଓଡ଼ିଶା ଛାଡିବେ । ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଲୋକସଭା ଆସନର କର୍ମୀ, ସମର୍ଥକ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।