ପୁରୀରେ ପୁଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ : ଦୁଇଦିନ ହେଲା ଯୁବକଙ୍କୁ ଉଠାଇ ଆଣିଥିଲା ପୁଲିସ

ସେପଟେ ହାଜତ ମୃତ୍ୟୁ ଅଭିଯୋଗ ଆଣି ବୀରମିତ୍ରପୁର ଥାନାରେ ଉତ୍ତେଜନା

246

କନକ ବ୍ୟୁରୋ : ପୁରୀରୁ ଆସିଛି ହାଜତ ମୃତ୍ୟୁର ସଙ୍ଗୀନ୍ ଅଭିଯୋଗ । ହାଜତରେ ପୋଲିସ ଜଣେ ଯୁବକକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକର ପରିବାର ଲୋକ । ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଂଚଳର କେ ରମେଶ । ବୟସ ୩୩ ବର୍ଷ । ଦୁଇ ଦିନ ତଳେ ପୋଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା । ସେପଟେ ବାସେଳିସାହି ଥାନା ପୋଲିସ ଏନେଇ କିଛି ସ୍ପଷ୍ଟ କରିନାହିଁ । ଘଟଣାକୁ ଖଣ୍ଡନ କରିଛି ବାସେଳିସାହି ଥାନା ପୋଲିସ ।

ସେପଟେ ରାଉରକେଲାରୁ ଆସିଛି ହାଜତ ମୃତ୍ୟୁ ଅଭିଯୋଗ । ଯୁବକର ମୃତ୍ୟୁକୁ ନେଇ ବୀରମିତ୍ରପୁର ଥାନାରେ ପ୍ରବଳ ଉତେଜନା । ପୋଲିସ ହେପାଜତରେ ଯୁବକ ଜଣକ ଥିବା ବେଳେ , ତାକୁ ପିଟି ପିଟି ମାରିଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏକ ଅପରାଧିକ ମାମଲାରେ ଯୁବକକୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ଥାନାରେ ଥିବା ବେଳେ ଅସୁସ୍ଥ ହୋଇପଡିବାରୁ ତାକୁ ରାଉରକେଲା ଆଇଜିଏଚରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ ହେବା ପରେ , ବୀରମିତ୍ରପୁର ଥାନାରେ ଦେଖା ଦେଇଛି ପ୍ରବଳ ଉତେଜନା ।