ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ୨ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

85

କନକ ବ୍ୟୁରୋ : ମୋଦୀଙ୍କ ଗ୍ୟାରେଣ୍ଟି , ନବୀନଙ୍କ ‘ମୋ ଓଡିଶା’, କଂଗ୍ରେସର ନ୍ୟାୟ ଏସବୁ ମଞ୍ଚରୁ ନେତାଙ୍କ ଭାଷଣ କାନକୁ ଭଲ ଶୁଣାଯାଉଛି । ଏହାସହ ଏନେଇ ୩ ପ୍ରମୁଖ ଦଳର ବ୍ୟାନର ପୋଷ୍ଟର ବି ରାସ୍ତା ଘାଟ, ଗଳିକନ୍ଦି ଓ ସହର ବଜାରରେ ଚମକୁଛି । ହେଲେ କାନକୁ ଭଲ ଶୁଭୁଥିବା ଭାଷଣ ଓ ଆଖିକୁ ସୁନ୍ଦର ଦିଶୁଥିବା ଏସବୁ ବିଜ୍ଞାପନ ଉପରେ ବେଶ୍ ଭାରି ପଡିଛି ବାଲେଶ୍ୱର ଜିଲ୍ଲା ସୋରରୁ ଆସିଥିବା ଜନନୀ ଯନ୍ତ୍ରଣାର ଚିତ୍ର ।

ଗାଁକୁ ରାସ୍ତା ନଟିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ଗର୍ଭବତୀ ୨ କିଲୋମିଟର ଖଟିଆରେ ବୋହି କି ନେବାକୁ ପଡ଼ିଛି । ବାଲେଶ୍ୱର ସୋର ବ୍ଲକ ଅନନ୍ତପୁର ପଂଚାୟତରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ସୁରଭୀ ନାଥଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ ପରିବାର ଲୋକ । କିନ୍ତୁ ରାସ୍ତା ନଥିବାରୁ ୨ କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନ୍ସ । ପରେ ପରିବାର ଲୋକ ସୁରଭୀଙ୍କୁ ଖଟିଆରେ ବୋହି କି ନେଇଥିଲେ । ଖାଲି ରାସ୍ତା ନୁହେଁ ଅନେକ ମୌଳିକ ସୁବିଧାରୁ ମଧ୍ୟ ବଂଚିତ ଅଛନ୍ତି ଏଠାକାର ଲୋକେ । ବାରମ୍ବାର ଦାବି ପରେ ବି ଏଠାରେ ରାସ୍ତା ନିର୍ମାଣ ହୋଇପାରୁ ନାହିଁ । ତେଣୁ ତୁରନ୍ତ ସମସ୍ୟାର ସମାଧାନ କରା ନଗେଲ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଅଂଚଳବାସୀ ।