ବଢୁଛି ଗରମ ଗୁଳୁଗୁଳି । ଖରାଝାଂଜିରେ ଉପାନ୍ତ ଗାଁର ଜଳ ଯନ୍ତ୍ରଣା, ପାଣି ମୁନ୍ଦାଏ ପାଇଁ ସଂଘର୍ଷ କରୁଛନ୍ତି ଧରାକୋଟ ଅଶୋକପଲ୍ଲି ବାସିନ୍ଦା

28

କନକ ବ୍ୟୁରୋ : ଧରାକୋଟ ବ୍ଲକ ବଳରାମପୁର ପଂଚାୟତର ଅଶୋକପଲ୍ଲି । ଉପାନ୍ତ ଅଂଚଳର ରାଜସ୍ୱ ଗାଁ । ଗତ ପଂଚାୟତ ନିର୍ବାଚନ ସମୟରେ ଚର୍ଚ୍ଚାକୁ ଆସିଥିଲା ଏହି ଗାଁ । କାରଣ ଗାଁରେ ସ୍କୁଲ, ଅଙ୍ଗନବାଡି କି କୋଠ ଘର ନଥିବାରୁ ଏହି ତେନ୍ତୁଳି ଗଛ ମୁଳେ ଭୋଟ ଦେଇ ନେତା ବାଛିଥିଲେ । ପଂଚାୟତ ନିର୍ବାଚନର ୨ ବର୍ଷ ପରେ ୨୦୨୪ ସାଧାରଣ ନିର୍ବାଚନ ହେଲାଣି । କିନ୍ତୁ ନେତା, ପ୍ରଶାସନ ସମସ୍ତେ ଭୁଲିଯାଇଛନ୍ତି ଏହି ଅଶୋକପଲ୍ଲିକୁ । ତେଣୁ ଆଜି ବି ମୌଳିକ ସୁବିଧାରୁ ବଂଚିତ ହୋଇ କର୍ମକୁ ଆଦରି ପଡିରହିଛନ୍ତି ଗ୍ରାମବାସୀ ।

ଅଶୋକପଲ୍ଲୀକୁ ରାସ୍ତା ନାହିଁ । ପାଦଚଲା ରାସ୍ତା ହିଁ ଭରସା । ସବୁଠାରୁ ବଡ ସମସ୍ୟା ପିଇବା ପାଣି । ନଳକୂଅ ଅଚଳ, ପୋଖରୀ ଗାଡି଼ଆ ନାହିଁ । ତେଣୁ ପାହାଡି ଝରଣା ପାଣିରେ ଶୋଷ ମେଂଟୁଛି    । ଗାଁ ଠାରୁ ୨ କିଲୋମିଟର ଦୂର ପାହାଡରୁ ନିଜସ୍ୱ ଉଦ୍ୟମରେ ପାଇପ୍ ଯୋଗେ ଆସୁଥିବା ଝରଣା ପାଣିକୁ ସଂଗ୍ରହ କରୁଛନ୍ତି ମହିଳା । ଏବର୍ଷ ବର୍ଷା ଆଭାବରୁ ପାହାଡି ଝରଣାରୁ ବି ଯଥେଷ୍ଟ ପାଣି ଆସୁ ନାହିଁ । ଫଳରେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗାଁର ପାଣି ସମସ୍ୟା ଦୂରେଇବା ପାଇଁ ୨ଟି ସୋଲାର ଟାଙ୍କି ତିଆରି ହୋଇଛି । ହେଲେ ତାହା କାର୍ଯ୍ୟକ୍ଷମ ହୋଇନାହିଁ । ତେଣୁ ଖରା ବଢିବା ସାଙ୍ଗକୁ ଲୋକଙ୍କ ଜଳକଷ୍ଟ ବଢିଯାଇଛି ।