ଗରମ ଗୁଳୁଗୁଳିରେ ଅତିଷ୍ଠ ଜୀବନ । ବାଦ୍ ପଡୁନାହାନ୍ତି ଜୀବଜନ୍ତୁ, କୁଳଡିହାରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଜଙ୍ଗଲ ଜୀବ

102

କନକ ବ୍ୟୁରୋ : ବଢୁଛି ଗ୍ରୀଷ୍ମପ୍ରବାହ । ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡୁଥିବା ବେଳେ ବାଦ୍ ପଡୁନାହାନ୍ତି ଜୀବଜନ୍ତୁ । ସେହିଭଳି ପିଇବାପାଣି ପାଇଁ ମଧ୍ୟ ବହୁ ସମସ୍ୟା ଭୋଗୁଛନ୍ତି । କେବଳ ମଣିଷ ନୁହନ୍ତି କୁଳଡିହାରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଜୀବଜନ୍ତୁ । କୁଳଡିହା ଅଭୟାରଣ୍ୟରେ ଜୀବଜନ୍ତୁଙ୍କ ପାଇଁ ଜଳ ସଙ୍କଟ ବଢୁଛି । ଜୀବଙ୍କ ପାଇଁ ଥିବା ଋଷିଆ ଓ ସାତଘାଟୀ ଡ୍ୟାମ୍ ଶୁଖିଲା ପଡିଛି । ଋଷିଆ ପ୍ରକଳ୍ପରୁ ପାଣି ଶୁଖି ତାହା ଏବେ ସମତଳ ହୋଇପଡିଲାଣି । ଜଳ ସ୍ତର ସମ୍ପ୍ରୁ୍ଣ୍ଣ କମିଯାଇଥିବା ବେଳେ ସାତଘାଟୀ ଡ୍ୟାମ୍ ବି ବାଲିରେ ପୋତି ହୋଇଗଲାଣି । ଖରା ଦିନ ଆରମ୍ଭରୁ ପାଣି ସମସ୍ୟା ନେଇ ଏହିଭଳି ସ୍ଥିତି ଉପୁଜିଲାଣି । ଆଗକୁ ପୁରା ମାସ ପଡିଛି । ପାଣି ସଙ୍କଟ ଯୋଗୁ ଜୀବଜନ୍ତୁ ମଧ୍ୟ ତ୍ରାହି ତ୍ରାହି ଡାକିଲେଣି ।

ଅଭୟାରଣ୍ୟରେ ପ୍ରସ୍ତୁତ ହୋଇଥିବା ୬୦ଟି କୃତ୍ରିମ ଜଳାଶୟ ମଧ୍ୟରୁ ୩୦ଟି ଜଳାଶୟ ଯତ୍ନ ଅଭାବରୁ ପୋତି ହୋଇଗଲାଣି । ଆଉ ଯେଉଁ କିଛି ରହିଛି ତାହା ବି ପୋତି ହେବାରେ ଲାଗିଛି । । ଅଧିକ ଖରା ଯୋଗୁ ସବୁଠି ପାଣି ଶୁଖି ଜଳାଶୟ ଗୁଡିକ ଶୁଷ୍କ ହୋଇପଡିଲାଣି । ଯାହାଫଳରେ ଜୀବଜନ୍ତୂ ମାନେ ପାଣି ନପାଇ ଗାଁ ମୁହାଁ ହେବାରେ ଲାଗିଛନ୍ତି । ସେପଟେ ଖରାଦିନରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ଯଦି ଏହି ସ୍ଥାନରେ ନିଆଁ ଲାଗିଥାଏ ତେବେ ଅବସ୍ଥା ଆହୁରି ସଙ୍ଗୀନ୍ ହୋଇପଡିବ । ତେଣୁ ଏବେଠାରୁ ଜଳାଶୟ ପୁନରୁଦ୍ଧାର କରିବାକୁ ଦାବି ହୋଇଛି ।
ପାଣି ପାଇଁ ଜଙ୍ଗଲି ଜନ୍ତୂ ଡହଳ ବିକଳ ହେବାରେ ଲାଗିଲେଣି । ତେଣୁ ଏବେଠାରୁ ସେମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡିଛି ।