ବିଭିନ୍ନ ସ୍ଥାନରେ ନାମାଙ୍କନ ଭରିଲେ ରାଜ୍ୟର ହେଭି ୱେଟ୍ ନେତା । ଭଟଲି ପାଇଁ ସୁଶାନ୍ତ ସିଂ, ବ୍ରଜରାଜନଗର ପାଇଁ ସୁରେଶ ପୂଜାରୀ ଭରିଲେ ନାମାଙ୍କନ

203

କନକ ବ୍ୟୁରୋ : ନିର୍ବାଚନ ତାରିଖ ପାଖଉଥିବା ବେଳେ ନାମାଙ୍କନ ଭରୁଛନ୍ତି ପ୍ରାର୍ଥୀ । ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ଶକ୍ତି ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଆଜି ବରଗଡ଼ ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂହ । ସାଂସଦ ପ୍ରାର୍ଥୀ ପରିଣୀତା ମିଶ୍ର ଓ ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଭରିଛନ୍ତି । ସେହିପରି ବ୍ରଜରାଜନଗର ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁରେଶ ପୂଜାରୀ । ଏହି ଆସନ ପାଇଁ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେପଟେ ବରଗଡ଼ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ ସଂଜୟ ଭୋଇ । ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରିବା ପରେ ଶୋଭାଯାତ୍ରାରେ ଯାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଲକ୍ଷ୍ମୀପୁର ଆସନରୁ ମଧ୍ୟ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ କୈଳାସ କୁଲେସିକା । ତାଙ୍କ ସହ କୋରାପୁଟ ପ୍ରାର୍ଥୀ ରଘୁରାମ ମାଛ, ପଟାଙ୍ଗୀ ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲି ଏବଂ କୋରାପୁଟ ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦଳୀୟ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ବିଶାଳ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ।