୨୮ରେ ହେଭି ୱେଟଙ୍କ ପ୍ରଚାରରେ କମ୍ପିବ ଓଡିଶା । ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ

116

କନକ ବ୍ୟୁରୋ : ଦିନକ ପରେ ଦିଲ୍ଲୀରୁ ଓଡିଶା ଆସିବେ ବିଜେପି ଓ କଂଗ୍ରେସର ଦୁଇ ଟାଣୁଆ ନେତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବାକୁ ଥିବା ବେଳେ ନବରଙ୍ଗପୁରରେ କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ବ୍ରହ୍ମପୁର ଏବଂ ନବରଙ୍ଗପୁର ଲୋକସଭା ଆସନ ଏମିତି ୨ଟି ଆସନ, ଯେଉଁଥିରେ ରାଜନୈତିକ ଗୋଲକଧନ୍ଦା ଭିତରେ ପ୍ରାର୍ଥୀ ଦେଇଛନ୍ତି ବିଜେଡି ଓ ବିଜେପି । ଏକଦା ବିଜେପିର ରାଜ୍ୟ ଉପ-ସଭାପତି ଥିବା ଭୃଗୁ ବକ୍ସିପାତ୍ର ବିଜେଡି ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ବିଧାୟକ ଥିବା ପ୍ରଦୀପ ପାଣିଗ୍ରାହୀ ବିଜେପିର ଲୋକସଭା ପ୍ରାର୍ଥୀ । ସେହିପରି ନବରଙ୍ଗପୁରରୁ ବିଜେଡିର ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝୀ କଂଗ୍ରେସରୁ ଆସିଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଥିବା ବଳଭଦ୍ର ମାଝୀ, ୨୦୧୪ରେ ବିଜେଡି ଟିକେଟରୁ ସାଂସଦ ନିର୍ବାଚିତ ହୋଇଥିଲେ ।

ବଡ଼ କଥା ହେଉଛି ସେହି ୨୮ ତାରିଖରେ ସାଲେପୁରରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ସେହିପରି ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଏହି ଅବସରରେ ରାହୁଲ ଗାନ୍ଧୀ କଟକ ଜିଲ୍ଲା ସତ୍ୟଭାମାପୁର, ଉକ୍ରଳ ଗୌରବ ମଧୁସୂଧନ ଦାସଙ୍କ ଜନ୍ମପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି ।

ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ନେତା ଓ କର୍ମୀ ଉତ୍ସାହିତ ଥିବା ବେଳେ ରାହୁଲଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହା ଭୋଟ୍ ଗଣିତକୁ କେତେ ପ୍ରଭାବିତ କରିବ ତାହା ବଡ଼ ପ୍ରଶ୍ନ ।