ଆକ୍ରାମଣାତ୍ମକ ମୁଦ୍ରାରେ ସବୁ ଦଳର ନେତା । ନବୀନଙ୍କ ଟାର୍ଗେଟରେ ଜବାବ ଦେଲେ ଶାହା । ଜାରି ରହିଛି ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ କଥା କଟାକଟି

133

କନକ ବ୍ୟୁରୋ : ନିର୍ବାଚନ ଯେତେ ପାଖଉଛି ସେତେ ଆକ୍ରମଣାତ୍ମକ ହେଉଛନ୍ତି ପ୍ରମୁଖ ରାଜନୈତିକ ଦଳର ହେଭିୱେଟ୍ ନେତା । କିଛି ବର୍ଷ ହେଲା ରାଜ୍ୟ ରାଜନୀତିରେ ଯାହା ଦେଖିବା ପାଇଁ ମିଳିନଥିଲା, ଏବେ ତାହା ନିର୍ବାଚନ ପ୍ରଚାର ମଇଦାନରୁ ଆସିବାରେ ଲାଗିଛି । ହିଂଜିଳିରେ ବିଜେଡି ସୁପ୍ରିମୋ, ବିରୋଧୀଙ୍କୁ ଟାର୍ଗେଟ କରିବାର ଦିନକ ପରେ, ଓଡିଶା ଆସି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଭାଷା, ସଂସ୍କୃତିଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ନବୀନ ସରକାର ବିଫଳ ବୋଲି କହିବା ସହ, ଡବଲ ଇଞ୍ଜିନ ସରକାର ପାଇଁ ବିଜେପିର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି । ତେବେ ଆଗକୁ ଏଭଳି ଚିତ୍ର ଆହୁରି ଦେଖିବାକୁ ମିଳିପାରେ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି । ଧର୍ମେନ୍ଦ୍ର ପ୍ରଧାନ ପିଇବା ପାଣି ଓ ସ୍ୱାସ୍ଥ୍ୟ ସମସ୍ୟା ସହ ଡିଏମଏଫ ଫଣ୍ଡର ଉପଯୋଗକୁ ନେଇ ପ୍ରତି ନିର୍ବାଚନୀ ସଭାରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରଣବ ୫୫ନମ୍ବର ଜାତୀୟ ରାଜପଥ ନିର୍ମାଣ କଥା ଉଠାଇ ଧର୍ମେନ୍ଦ୍ରଙ୍କୁ ପାଲଟା ଆକ୍ରମଣ କରୁଛନ୍ତି । ରାଜ୍ୟ ସରକାର ଲୋକଙ୍କ ପାଇଁ କଣ କରିଛନ୍ତି ତାର ହିସାବ ଦେଉଛନ୍ତି । ଏହି ଦୁଇ ବଡ ନେତାଙ୍କ ଏଭଳି ବୟାନବାଜି ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି ।

ବିଜେଡିର ସବୁଠାରୁ ପାୱାରଫୁଲ ନେତା କୁହାଯାଉଥିବା ଭି.କେ. ପାଣ୍ଡିଆନ ମଧ୍ୟ ବାରମ୍ବାର ବିଜେପିକୁ ଟାର୍ଗେଟ କରି ଆସୁଛନ୍ତି । ନାଁ ନନେଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପିକୁ ଟାର୍ଗେଟ କରୁଛନ୍ତି । ବିଜେପି ଓ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ପରସ୍ପରକୁ ଆକ୍ରମଣ ପ୍ରତି-ଆକ୍ରମଣ କରୁଛନ୍ତି ।

ହେଭିୱେଟଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଗୋଟିଏ ପଟେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛି । ଏଥର ବନ୍ଧୁତ୍ୱପୂର୍ଣ୍ଣ ନୁହେଁ, ଜୋରଦାର ଲଢ଼େଇ ପାଇଁ ରଣନୀତି କରୁଛନ୍ତି । ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ପାଇଁ ଆସିବା କାର୍ଯ୍ୟକ୍ରମ ରହିଛି । ତେଣୁ ପ୍ରଚାର ବେଳେ ମୋଦୀଙ୍କ ଆଭିମୁଖ୍ୟ କେମିତି ରହିବ, ତା ଉପରେ ସମସ୍ତଙ୍କ ନଜର ରହିଛି ।