ଭୋଟ୍ ଯୁଦ୍ଧରେ ସ୍ୱାମୀଙ୍କ ସାରଥୀ ସ୍ତ୍ରୀ । ବିଜୟ ପାଇଁ କରୁଛନ୍ତି ସମରସଜ୍ଜା

1,721

କନକ ବ୍ୟୁରୋ:
ଅଭିନନ୍ଦନ ପଣ୍ଡା-ସୂଚି ପଣ୍ଡା

ନିର୍ବାଚନ ମଇଦାନରେ ସ୍ତ୍ରୀ ଆଗୁଆ । ସ୍ୱାମୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ସାଙ୍ଗରେ ଛାଇ ଭଳି ଛିଡା ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ନୂଆପଡା ବିଧାନସଭା କ୍ଷେତ୍ରରେ ଏଥର ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । ୨୦୧୯ରେ କଳାହାଣ୍ଡିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବିଜେପି ଭେଟେରାନ ବସନ୍ତ ପଣ୍ଡା । ଏଥର ତାଙ୍କୁ ନୂଆପଡାକୁ ଫେରାଇ ଆଣିବାକୁ ବିଜେପି ଯୋଜନା କରୁଥିବା ଚର୍ଚ୍ଚା ହେଲା । କିନ୍ତୁ ଶେଷ ମୁହୂର୍ତ୍ତରେ ବାପାଙ୍କ ଟିକେଟ୍ କାଟି ପୁଅ ଅଭିନନ୍ଦନଙ୍କୁ ମଇଦାନକୁ ଓହ୍ଲାଇଲା ଦଳ । ଆଉ ବାପାଙ୍କ ଗଡ ରକ୍ଷା କରିବା ପାଇଁ ଅଭିନନ୍ଦନ ଯେତେବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ସେତିକିବେଳେ ସ୍ୱାମୀଙ୍କ ବିଜୟ ଯୁଦ୍ଧର ସାରଥି ପାଲଟିଛନ୍ତି ସ୍ତ୍ରୀ ସୂଚି ପଣ୍ଡା ।

ରୁଦ୍ର ମହାରଥୀ-ଜାଗୃତି ମହାରଥୀ

କେଉଁଠି ସ୍ୱାମୀଙ୍କ ଟିକେଟ୍ କାଟି ସ୍ତ୍ରୀଙ୍କୁ ପ୍ରାର୍ଥୀ କରାଯାଇଛି । ଦଳୀୟ ଅସନ୍ତୋଷକୁ ଏଡାଇବା ପାଇଁ ରାଜନୈତିକ ଦଳ, ପରିବାର ଭିତରେ ଟିକେଟ୍ ବାଣ୍ଟିଥିବା ଅଭିଯୋଗ ହେଉଛି । କିନ୍ତୁ ଏଭଳି ଚିତ୍ର ବି ସାମ୍ନାକୁ ଆସୁଛି ଯେଉଁଠି, ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଶାଇ ବାଟ ଚାଲୁଛନ୍ତି ସ୍ତ୍ରୀ । ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ୍ ମାଗୁଛନ୍ତି ସ୍ତ୍ରୀ ଜାଗୃତି । ସ୍ୱାମୀ ଓ ଶ୍ୱଶୂରଙ୍କ ଲୋକସଂପର୍କ ଆଧାରରେ ପୁଣିଥରେ ମହାରଥୀ ପରିବାର ଉପରେ ଆଶୀର୍ବାଦ ଅଜାଡି ଦେବାକୁ ନେହୁରା ହେଉଛନ୍ତି । ଶଙ୍ଖକୁ ଜିତାଇ ସ୍ୱାମୀଙ୍କ ମୁଣ୍ଡରେ ବିଜୟ ତିଳକ ପିନ୍ଧାଇ ଦେବାକୁ ଏକପ୍ରକାର ସଂକଳ୍ପ କରିଛନ୍ତି ।

ଓମ ପ୍ରକାଶ ମିଶ୍ର- ବନିତା ଆଚାର୍ଯ୍ୟ

ଭୋଟ ଭିକ୍ଷାର ଏହି ପ୍ରତିଯୋଗିତାରେ ପଛରେ ନାହାନ୍ତି ସେହି ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ସ୍ତ୍ରୀ । ସ୍ୱାମୀଙ୍କୁ ଜିତାଇ ପଦ୍ମ ଶିବିରକୁ ସତ୍ୟବାଦୀକୁ ଟେକି ଦେବା ପାଇଁ ଶପଥ କରିଛନ୍ତି ।

ସପ୍ତଗିରି ଉଲାକା- ପୂଜା ଉଲାକା

ନିଜକୁ କେବଳ ସ୍ୱାମୀଙ୍କ ପାଇଁ ପ୍ରଚାର ଭିତରେ ସୀମିତ ରଖିନାହାନ୍ତି କଂଗ୍ରେସରୁ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକାଙ୍କ ସ୍ତ୍ରୀ ପୂଜା ଉଲାକା । ଦୀର୍ଘଦିନ ହେଲା ସେ କୋରାପୁଟରେ ଡେରା ପକାଇଛନ୍ତି । ଗାଁ ଗାଁ ବୁଲି ସଂଗଠନ ବୁଝିଛନ୍ତି । ଦିନରାତି ଏକ କରି ଛାଇ ଭଳି ଜଗିଛନ୍ତି ସ୍ୱାମୀଙ୍କ ଗଡ । କୋରାପୁଟ ଲୋକସଭା କ୍ଷେତ୍ରରେ ଆସୁଥିବା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଦୁଃଖସୁଖ ବୁଝି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି । ଏବେ ନିର୍ବାଚନ ସମୟ ପାଖେଇ ଆସିବାରୁ ସ୍ୱାମୀଙ୍କ ସହ ପ୍ରଚାର ରାଲିରେ ପାଖେପାଖେ ରହୁଛନ୍ତି । ବିଜେଡି-ବିଜେପି ବାହାଘର କରିବାଠୁ ଆରମ୍ଭ କରି କର୍ମୀ ଓ ଆଦିବାସୀଙ୍କ ସହ ମିଶି ପାଦରେ ପାଦ ମିଶାଇ ନାଚୁଛନ୍ତି । ସ୍ୱାମୀଙ୍କ ଭୋଟ ଯୁଦ୍ଧରେ ପତ୍ନୀ ପାଲଟିଛନ୍ତି ପକ୍କା ସାରଥୀ ।